ଖୋର୍ଦ୍ଧା: ଗୁରୁବାର ଠାରୁ ‌ରାଜ୍ୟ ଖାଦ୍ୟ ଆୟୁକ୍ତ ଅବନିକାନ୍ତ ସାହୁଙ୍କ ଦୁଇ ଦିନିଆ ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳ ଗସ୍ତ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଖାଦ୍ୟ ସୁରକ୍ଷା ଯୋଜନାର ସମୀକ୍ଷା କରିବା ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଆୟୁକ୍ତ ଶ୍ରୀ ସାହୁ ଖୋର୍ଦ୍ଧା ଡାକବଙ୍ଗଳାରେ ପହଞ୍ଚି ଥିଲେ। ସେଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଓ ଅନ୍ୟ ଅଧିକାରୀ ମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ସାଢ଼େ ୧୧ଟାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ବେସାମରିକ ଖାଦ୍ୟଯୋଗାଣ ବିଭାଗର ଖାଦ୍ୟ‌ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ। ‌ଛାତ୍ରବାସ ଆଦିରେ ଚାଉଳ ଆଦିର ସୁରକ୍ଷିତ ସଂରକ୍ଷଣ ଆଦି ଉପରେ ଗୁରୁତ୍ବ ଦେଇଥିଲେ। ଏହାସହ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ, ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ତାଲିକାର ସଂଶୋଧନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏକ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଲିକାରୁ ବାଦ୍‌ଦେବା ଓ ନୂତନ ହିତାଧିକାରୀଙ୍କୁ ତାଲିକାରେ ଯୋଡ଼ିବାକୁ ଆୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଜିଲ୍ଲା, ବ୍ଲକ ଆଦିରେ ଥିବା ଭିଜିଲାନ୍ସ ୟୁନିଟ୍‌ର ନିୟମିତ ବୈଠକ ଓ ୟୁନିଟ ଦ୍ବାରା ଯାଞ୍ଚ ଆଦି କାର୍ଯ୍ୟକୁ ଅଧିକ ସକ୍ରିୟ କରିବାକୁ କହିଥିଲେ।

Advertisment

ସେହିଭଳି କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସମ୍ପୃକ୍ତ କରିବାକୁ ୧୪ଲକ୍ଷ ୧୧ ହଜାର ୮୧୪ଜଣଙ୍କୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୩ଲକ୍ଷ ୮୦ହଜାର ୬୩୬ଜଣଙ୍କୁ ସମ୍ପୃକ୍ତ କରାଯାଇଛି। ଛାଡ଼ ପଡ଼ିଥିବା ହିତାଧିକାରୀଙ୍କୁ ତୁରନ୍ତ ଯୋଜନାରେ ଯୋଡ଼ିବାକୁ ଆୟୁକ୍ତ ଖାଦ୍ୟ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ରାଜ୍ୟଖାଦ୍ୟସୁରକ୍ଷା ଯୋଜନାରେ ୧୩ହଜାର ୯୧୭ଜଣଙ୍କ ସମ୍ପୃକ୍ତ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ୮୩୯୮ ଜଣଙ୍କୁ ସମ୍ପୃକ୍ତ କରାଯାଇଛି, ଏଣୁ ବଳକା ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିବାକୁ ବ୍ୟବସ୍ଥା କରିବାକୁ କହିଥିଲେ।

ବୈଠକରୁ ମିଳିଥିବା ସୂଚନାନୁସାରେ, ୧୯ ଜୁଲାଇ ସୁଦ୍ଧା ଜିଲ୍ଲାରେ ୩ଲକ୍ଷ ୫୦ହଜାର ୮୯ଟି ପିଏଚ୍‌ଏଚ୍‌ (ପ୍ରିୟରିଟି ହାଉସହୋଲ୍‌ଡ) କାର୍ଡ, ୩୮ ହଜାର ୯୦୦ଟି ଅନ୍ତୋଦୟ କାର୍ଡ ସହ ମୋଟ ୩ଲକ୍ଷ୮୮ ହଜାର ୯୮୯ ଟି କାର୍ଡ ଆବଣ୍ଟିତ ହୋଇଛି। ଏହା ବ୍ୟତୀତ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୭୭୮୪ଟି ପଡ଼ିକାର୍ଡ ବଣ୍ଟନ କରାଯାଇଛି। ସମୀକ୍ଷା ବୈଠକ ପ୍ରାୟ ସାଢ଼େ ଗୋଟାଏ ଯାଏଁ ଚାଲିଥିଲା। ଏହାପରେ ଭାଲିଆବାଡ଼ି ପହଞ୍ଚି ସେଠାରେ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ଚାଉଳ ବଣ୍ଟନ କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରିଥିଲେ ଓ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ଯୋଗାଣ ବିଭାଗ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଗସ୍ତ ସମ୍ପର୍କରେ ସୂଚନା ଦେଇଜିଲ୍ଲା ଯୋଗାଣ ଅଧିକାରୀ ସୁଗଡ଼ା ମୁର୍ମୁ କହିଛନ୍ତି ଯେ ଦୁଇ ଦିନିଆ ଗସ୍ତରେ ଆଜି ଗୁରୁବାର ପ୍ରଥମ ଦିନରେ ଖାଦ୍ୟ ଆୟଚୁକ୍ତ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ। ଆସନ୍ତାକାଲି ଶୁକ୍ରବାର ବେଗୁନିଆ, ବୋଲଗଡ଼ ସମେତ ଅନ୍ୟ କେତକ ସ୍ଥାନର କ୍ଷେତ୍ର ପରିଦର୍ଶନ କରିବେ।