ଖୋର୍ଦ୍ଧା: ଶନିବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୫ମ ରାଜ୍ୟ ଅର୍ଥକମିଶନ, ୧୫ଶ କେନ୍ଦ୍ର ଅର୍ଥ କମିଶନ ଅନୁଦାନ, ମନରେଗା, ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଅମୃତ ସରୋବର ଯୋଜନା ଆଦି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ୨୦୨୨-୨୩ରେ ଆର୍ଥିକ ବର୍ଷ ଆରମ୍ଭରେ ଯୋଜନାଗୁଡ଼ିକର ରୂପାୟନ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ବର୍ତମାନ କେତେ ପୂରଣ ହୋଇଛି ସେନେଇ ଆଲୋଚନା ହୋଇଥିଲା ।
ଏନେଇ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ କହିଛନ୍ତି ଯେ ଆଜି କେବଳ ଖୋର୍ଦ୍ଧା ବ୍ଲକର ସମସ୍ତ ପଂଚାୟତର ସମୀକ୍ଷା କରାଯାଇଥିଲା । ମିଶନ ଅନ୍ତୋଦୟ ଯୋଜନାରେ ସଠିକ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା । କାରଣ ସଠିକ ତଥ୍ୟ ବିନା ଉନ୍ନୟନ ଯୋଜନା ଓ ବଜେଟ୍ ଆଦି ସମ୍ଭବ ନୁହେଁ । ସେହିଭଳି ମନରେଗା ଯୋଜନାରେ ଶ୍ରମିକଙ୍କ ମଜୁରୀ ବାବଦରେ ପଂଚାୟତ ସମିତିରେ ହାରାହାରି ୬୦ ପ୍ରତିଶତ କେବଳ ଖର୍ଚ୍ଚ ହୋଇଥିବାେ ବଳେ ବିଭିନ୍ନ ଉନ୍ନୟନ ଯୋଜନା ବାବାଦକୁ ହାରାହାରି ୪୦ ପ୍ରତିଥ ଖର୍ଚ୍ଚ ହୋଇଛି । ଏଣୁ ଏହି ଅନୁଦାନର ବିନିଯୋଗ କିଭଳି ଶତପ୍ରତିଶତ କରାଯିବ ସେନେଇ ନିଦେ୍ର୍ଦଶ ଦିଆଯାଇଥିଲା ।
ବୈଠକରୁ ମିଳିଥିବା ସୂଚନାରେ, ଖୋର୍ଦ୍ଧା ବ୍ଲକର ୨୨ଟି ପଂଚାୟତରେ ନିର୍ଦ୍ଧାରିତ ସମୟରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣରେ ପ୍ରାଶାସନିକସ୍ତରରେ କେଉଁଠି ସମସ୍ୟା ରହୁଛି ସେନେଇ ନିର୍ବାହୀ ଅଧିକାରୀ ଶ୍ରୀ ରାଉତରାୟ ପଂଚାୟତ ସମିତି ଉନ୍ନୟନ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ମନରେଗା ଯୋଜନାରେ ଖର୍ଚ୍ଚ କମ୍ ହେଉଥିବା, ମଷ୍ଟର ରୋଲ୍ ଅନୁସାରେ ପଂଜୀକୃତ ଶ୍ରମିକଙ୍କ ବଦଳରେ ଯନ୍ତ୍ରପାତି ଦ୍ୱାରା କାମ କରାଯାଉଥିବା ଓ ପ୍ରକଳ୍ପଗୁଡ଼ିକର ମନ୍ଥରତା ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ଏଥିପାଇଁ ପ୍ରକଳ୍ପ ହେଉଥିବା ସ୍ଥାନର ଲୋକ ପ୍ରତିନିଧି, ଗ୍ରାମ ରୋଜଗାର ସେବକ, ଗାଁ ସାଥୀ ଓ ଶ୍ରମିକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଶ୍ରମିକମାନେ ଶତପ୍ରତିଶତ ଯେଭଳି କାମ ପାଇବେ ତାହା ନିଶ୍ଚିତ କରିବାକୁ ନିର୍ବାହୀ ଅଧିକାରୀ ପରାମର୍ଶ ଦେଇଥିଲେ । ମିଶନ ଅନ୍ତୋଦୟ ଯୋଜନାରେ ହିତାଧିକାରୀଙ୍କ ଚୟନ, ଯାଂଚ ଓ ତଥ୍ୟ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ସହ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପଂଚାୟତ ଉନ୍ନୟ ଯୋଜନା ପ୍ରସ୍ତୁତ କରିବା କାର୍ଯ୍ୟ ଆରମ୍ଭ କରିବାକୁ ପଂଚାୟତ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା ।
ସେହିଭଳି ସ୍ୱଚ୍ଛ ଭାରତ ମିଶରରେ ପାଇଖାନା, ସୋକ୍ପିଟ୍, ରିଚାର୍ଜ ପିଟ୍, ଅଙ୍ଗନବାଡ଼ି ଗୃହ ନିର୍ମାଣ ଆଦିର ସମୀକ୍ଷା କରାଯାଇ ଅଧାପନ୍ତରିଆ କାର୍ଯ୍ୟର ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ନିର୍ବାହୀ ଅଧିକାରୀ କହିଥିଲେ। ରାଜ୍ୟ ୫ମ ଅର୍ଥ କମିଶନ ଓ କେନ୍ଦ୍ର ୧୫ଶ ଅର୍ଥ କମିଶନର ଅନୁଦାନ, କାର୍ଯ୍ୟାନ୍ୱୟନ ସମ୍ପର୍କରେ ପଂଚାୟତସ୍ତରରେ ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିବାକୁ ଉପସ୍ଥିତ ବ୍ଲକ ଓ ପଂଚାୟତ ଅଧିକାରୀଙ୍କୁ କୁହାଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଆଇଟି ଅଧିକାରୀ ସୁନାକର ଜେନା, ମନରେଗା ଜିଲ୍ଲା ସଂଯୋଜିକା ଜ୍ୟୋତ୍ସ୍ନାମୟୀ ରାଉତ, ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ମିଶନର ସଂଯୋଜକ ମନୋଜ ଶତପଥୀ, ଖୋର୍ଦ୍ଧା ପଂଚାୟତ ସମିତି ଉନ୍ନୟନ ଅଧିକାରୀ କ୍ଷୀରାବ୍ଧୀ ତନୟା ସାହୁ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଦେବାଶିଷ ଖୁଂଟିଆଙ୍କ ସମେତ ଅନ୍ୟ ପଂଚାୟତସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।