ମେଧାବୀ ଛାତ୍ରୀ ଆୟୁଷୀଙ୍କ ଆୟୁଷ ପାଇଁ ସାହାଯ୍ୟ ମାଗିଲେ ପରିବାର ଲୋକେ

ଖୋର୍ଦ୍ଧା: କୁନି ଝିଅ ଆୟୁଷୀ, ବୟସ ମାତ୍ର ୧୬ ବର୍ଷ । ମାଟ୍ରିକ ପରୀକ୍ଷା ପରେ ଦେଖିଥିଲା ଅନେକ ସ୍ୱପ୍ନ । କଲେଜ ଯିବ ପାଠପଢିବ, ଆଉ ବଡ ଚାକିରି କରିବ । ହେଲେ ତାର ଏହି ସ୍ୱପ୍ନକୁ ଛାରକାର କରିଦେଇଛି ରୋଗ । ତା ଭବିଷ୍ୟତର ଲମ୍ବା ରାସ୍ତାରେ ବାଟ ଓଗାଳିଛି ରକ୍ତ କର୍କଟ । ଆଉ ନିଜ ପାଠପଢା ବୟସରେ ଏବେ ସେ ଶର୍ଯ୍ୟାଶାୟୀ । ରୋଗର ଶଯ୍ୟାରେ ପଡି ଦେଖୁଛି ନିଜ ଭବିଷ୍ୟତର ସ୍ୱପ୍ନ । ଆଉ ଚିକିତ୍ସା ପାଇଁ ଦରକାର ଲକ୍ଷାଧିକ ଟଙ୍କା । ଯାହା ଯୋଗାଡ କରିବା ଏବେ ତାଙ୍କ ପରିବାର ପାଇଁ କାଠିକର ପାଠ । ସେଥିପାଇଁ ରୋଗ ଶଯ୍ୟାରେ ପଡ଼ିି ଏବେ ଆୟୁଷୀ ମାଗୁଛି ନିଜ ଜୀବନର ଆୟୁଷ ।

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅଞ୍ଚର ଜ୍ଞାନ ରଞ୍ଜନ ମିଶ୍ର ଓ ସୁଜାତା ମିଶ୍ରଙ୍କ ଏକମାତ୍ର ଝିଅ ଆୟୁଷୀ । ଆୟୁଷୀ ବାଗ ଦେବୀ ବିଦ୍ୟାପୀଠରେ ପାଠ ପଢୁଥିଲେ । ଗତ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ । ମାଟ୍ରିକ ପରୀକ୍ଷା ଦେଉଥିବା ସମୟରେ ସେ ଅସୁସ୍ଥ ଥିଲେ । ଶେଷ ପରୀକ୍ଷା ଦିନ ସେ ହଲରେ ଶୋଇ ପଡିଥିଲେ । ଆଖିକୁ ପ୍ରଶ୍ନ ପତ୍ର ଦେଖାଯାଇନଥିଲା । ତେଣୁ ସେ ଶିକ୍ଷକ ପ୍ରଶ୍ନ ଡାକିବାରୁ ଆୟୁଷୀ ଖାତାରେ ଉତ୍ତର ଲେଖିଥିଲେ ।

ଏମିିତି କଷ୍ଟ ମଷ୍ଟେ ମାଟ୍ରିକ ପରୀକ୍ଷା ଦେଇଥିଲେ ଆୟୁଷୀ । ଆଉ ଏହି ପରୀକ୍ଷାରେ ସେ ୮୩ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିଲେ । ଅସୁସ୍ଥତା ଯୋଗୁ ପରୀକ୍ଷାରେ ତାଙ୍କ ମାର୍କ ମଧ୍ୟ କମିଯାଇଥିଲା । ତେଣୁ ପରିବାର ଲୋକ ଭୁବନେଶ୍ୱରର ବିଜେବି କଲେଜରେ ଯୁକ୍ତ ଦୁଇ କଳାରେ ତାଙ୍କ ନାମ ଲେଖାଇ ଦେଇଥିଲେ ।

ଦେହ ଅଧିକ ଅସୁସ୍ଥ ହେବାରୁ ଶେଷରେ ଆୟୁଷୀଙ୍କୁ ଗତ ବର୍ଷ ମାର୍ଚ୍ଚ ୫ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥାରେ ପରିବର୍ତ୍ତନ ନଆସିବାରୁ ସେଠାରୁ ତାଙ୍କୁ ସମ ହସ୍ପିଟାଲକୁ ନିଆଯାଇଥିଲା । ଆଉ ସେଠାରେ ପରୀକ୍ଷା ନିରୀକ୍ଷା ପରେ ଜଣାପଡିଥିଲା ତାଙ୍କୁ ରକ୍ତ କର୍କଟ ହୋଇଛି ବୋଲି । ଏହି ଖବର ଶୁଣିବା ପରେ ବାପା-ମାଙ୍କର ପାଦ ତଳୁ ସତେ ଯେପରି ମାଟି ଖସିଯାଇଥିଲା । ଆଉ ଝିଅକୁ ଭଲ କରିବାକୁ ନିଜ ଜମିବାଡି ସବୁ ବିକି ଏବେ ଭିତରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି ।

ସ୍କୁଲ ସମୟରେ ଆୟୁଷୀ ଜଣେ ମେଧାବୀ ଛାତ୍ରୀ ଥିଲେ । ବାଲିପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନରେ ୩ୟ ଶ୍ରେଣୀ, ପଞ୍ଚମ ଶ୍ରେଣୀ ଓ ପରେ ସପ୍ତମ ଶ୍ରେଣୀରେ ବୃତ୍ତି ପାଇଥିଲେ । କେବଳ ପାଠ ନୁହେଁ ଆୟୁଷୀ ଖୁବ ସୁନ୍ଦର ଓଡିଶୀ ନୃତ୍ୟ ମଧ୍ୟ କରିଥାନ୍ତି । ବହୁଥର ସେ ସ୍କୁଲ ତରଫରୁ ଭାଷଣ, ସୁନ୍ଦର ହସ୍ତାକ୍ଷର ଲିଖନ ଓ ତର୍କରେ ପ୍ରଥମ ହୋଇଛନ୍ତି ।

ଆୟୁଷୀଙ୍କ ଚିକିତ୍ସା ପାଇଁ ଏବେ ଆହୁରି ୪୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ସେପଟେ ମିଲାପ ଆପରେ ମଧ୍ୟ ଲୋକମାନେ ଆୟୁଷୀଙ୍କୁ ସହାୟତାର ହାତ ବଢାଇଛନ୍ତି । ମିଲାପରେ ତାଙ୍କୁ ଏବେ ଯାଏ ଦେଢ ଲକ୍ଷ ଟଙ୍କା ସହାୟତା ମିଳି ସାରିଲାଣି । ହେଲେ ଆୟୁଷୀଙ୍କ ଚିକିତ୍ସା ପାଇଁ ଏବେ ଆହୁରି ଟଙ୍କା ଆବଶ୍ୟକ । ଯାହା ଯୋଗାଡ କରିବା ପରିବାର ପାଇଁ ଏକ ଅସମ୍ଭବ କାମ । ତେଣୁ ଆୟୁଷୀଙ୍କୁ ସାହାଯ୍ୟ କରିବାକୁ ନେହୁରା ହୋଇଛି ପରିବାର ।

ନିଜ ଜୀବନ ପାଇଁ ଆୟୁଷ ମାଗୁଥିବା ଆୟୁଷୀଙ୍କୁ ସାହାଯ୍ୟ କରି ତାଙ୍କ ମୁହଁରେ ହସ ଫୁଟାଇବାକୁ ଚାହୁଁଥିବା ବ୍ୟକ୍ତି ତାଙ୍କ ଆକାଉଣ୍ଟ ନମ୍ବରରେ ସାହାଯ୍ୟ କରିପାରିବେ ।

 

ସମ୍ବନ୍ଧିତ ଖବର