ଦୁର୍ଘଟଣାରେ ୨ ମୃତ

ନାଚୁଣ/ଟାଙ୍ଗୀ : କୁହୁଡ଼ି ଫାଣ୍ଡି ଅଧୀନ ୧୬ ନମ୍ବର ଜାତୀୟ ରାଜପଥର କୟଥପଲ୍ଲା ଛକ ନିକଟରେ ଆଜି ଏକ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ, ସ୍ଥାନୀୟ କୁଞ୍ଜୁରି ପଞ୍ଚାୟତ ଅନ୍ତର୍ଗତ ଜୟମଙ୍ଗଳପୁର ଗ୍ରାମର ରଜନୀକାନ୍ତ ମହାପାତ୍ର (୧୯) ଓ ବିକାଶ ବିଶ୍ୱାଳ (୨୫)। ଆଜି ସନ୍ଧ୍ୟା ପ୍ରାୟ ୯ଟାରେ ସେମାନେ ଏକ ପଲସର୍‌ (ଓଡି-୦୨-ଏବି-୨୦୫୧)ରେ ନାଚୁଣୀରୁ ଘରକୁ ଫେରୁଥିବା ବେଳେ ପଛରୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା। ଏଥିରେ ଘଟଣାସ୍ଥଳରେ ଯୁବକଦ୍ୱୟଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାର ପ୍ରତିବାଦ ଓ ମୃତକଦ୍ୱୟଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଶେଷ ଖବର ଲେଖା ହେବା ବେଳକୁ ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଶବ ରକ୍ଷି ବିକ୍ଷୋଭ ଜାରି ରଖିଥିଲେ। ଖବର ପାଇ କୁହୁଡ଼ି ଫାଣ୍ଡି ପୁଲିସ ଓ ଟାଙ୍ଗୀ ଥାନା ଆଇଆଇସି ରଶ୍ମିରଂଜନ ସାହୁ ବିକ୍ଷୋଭକାରୀମାନଙ୍କୁ ବୁଝାସୁଝା କରୁଛନ୍ତି।

ସମ୍ବନ୍ଧିତ ଖବର