ପୁଲିସ ଜାଲରେ ଧରାପଡ଼ିଲେ ଡ୍ରଗ ମାଫିଆ ବାଳିଆ ଗ୍ୟାଙ୍ଗର ୨ ସଦସ୍ୟ 

ଖୋର୍ଦ୍ଧା ଟାଉନ୍ ଇଲାକାରୁ ୯୦ ପ୍ରତିଶତ ବ୍ରାଉନ ସୁଗାର ବେପାରୀ ଗିରଫ: ଏସପି ଅଜୟ ପ୍ରତାପ 

ଖୋର୍ଦ୍ଧା : ମୁଣ୍ଡ ଉପରେ ଥିଲା ଛୋଟ ଶିଶୁଙ୍କ ଅପହରଣ, ହତ୍ୟା ଉଦ୍ୟମ ଭଳି ୫ରୁ ଅଧିକ ସଙ୍ଗୀନ ମାମଲା । ବର୍ଷେ ନୁହେଁ କି ଦୁଇ ବର୍ଷ ଗତ ୧୨ ବର୍ଷ ଧରି ପୁଲିସକୁ ଚକମା ଦେଇ ଖସିଯାଉଥିଲା । କେବଳ ଏହାନୁହେଁ ପୁଲିସ, ଅବକାରୀ, ଏସଟିଏଫ ଆଖିରେ ଧୂଳି ଦେଇ ଖୋର୍ଦ୍ଧା ସହର ଓ ଉପକଣ୍ଠରେ ବ୍ରାଉନସୁଗାର (ପାଉଡର) କାରବାର ଚଳାଉଥିଲା ବାଳିଆ ଓ ତା’ର ଗ୍ୟାଙ୍ଗ । ଶେଷରେ ଗତକାଲି ପୁଲିସ ହାତରେ ବାଳିଆ ଓ ତା’ର ପ୍ରମୁଖ ଦୁଇ ସହଯୋଗୀ ପୁଲିସ ହାତରେ ଧରାପଡ଼ିଛନ୍ତି ।

ସୁଶାନ୍ତ ମାଝି (୩୨) ଓରଫ ବାଳିଆର ଘର ବୋଲଗଡ଼ ହାଟବସ୍ତର ଶ୍ରୀଚନ୍ଦନପୁର । କିଛି ଦିନ ବୋଲଗଡ଼ରେ ଛୋଟମୋଟ ଅପରାଧ କରିବା ପରେ ଖୋର୍ଦ୍ଧା ସାମନ୍ତରାପୁର ସ୍ୱପ୍ନେଶ୍ୱରସାହିରେ ଆସି ରହୁଥିଲା । ୨୦୦୮ରେ ଜଣେ ନାବାଳକକୁ ଅପହରଣ କରିନେବା ଘଟଣାରେ ସେ ଧରାପଡ଼ିଥଲା । ଏହାପରେ ନିଜର ଏକ ଗ୍ୟାଙ୍ଗ ଗଠନ କରି ଖୋର୍ଦ୍ଧା, ଟାଙ୍ଗୀ, ଜଟଣୀ ଆଦି ରାସ୍ତାରେ ରାହାଜାନି, ଡକାୟତି କରିବା ଆରମ୍ଭ କରିଥିଲା । ଏହାସହ ପ୍ରଥମେ ସ୍ଥାନୀୟ ବ୍ରାଉନ୍ସୁଗାର ବେପାରୀଙ୍କ ଠାରୁ ବ୍ରାଉନ୍ସୁଗାର ଆଣି ଛୋଟମୋଟ ବେପାର କଲା । ପରେ ଜଳେଶ୍ୱର, ବାଲେଶ୍ୱରର ବ୍ରାଉନ୍ସୁଗାର ବେପାରୀଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରି ନିଜେ ଗ୍ୟାଙ୍ଗ୍ ଗଠନ କରି ବ୍ରାଉନ୍ସୁଗାର କାରବାର କରିବା ଆରମ୍ଭ କରିଥିଲା । ଏନେଇ ବାଳିଆ ବିରୋଧରେ ଫେବ୍ରୁଆରୀ ୨୦୧୪ରେ ଟାଙ୍ଗୀ ଥାନାରେ ଡକାୟତି ଓ ବେଆଇନ ବନ୍ଧୁକ ରଖିବା ମାମଲା, ଜୁନ୍ ୨୦୧୮ରେ ଖୋର୍ଦ୍ଧା ଟାଉନ୍ ଥାନାରେ ଡକାୟତି ଓ ବେଆଇନ ବନ୍ଧୁକ ରଖିବା ମାମଲା, ଜୁଲାଇ ୨୦୧୮ରେ ହତ୍ୟାଉଦ୍ୟମ ଓ ଡକାୟତି ମାମଲା, ସେପ୍ଟମ୍ବର ୨୦୧୯ରେ ଖଣ୍ଡଗିରି ଅଂଚଳରେ ବନ୍ଧୁକ ଓ ମାରଣାସ୍ତ୍ର ଦ୍ୱାରା ହତ୍ୟା ଉଦ୍ୟମ ଭଳି ମାମଲା ରହିଛି । ଏହି ସମସ୍ତ ମାମଲାରେ ବାଳିଆ ପଛରେ ଗୋଡ଼ାଇ ପୁଲିସ ନୟାନ୍ତ ହୋଇଯାଇଥିଲା । ଶେଷରେ ଗତକାଲି କୌଣସି ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ପୁଲିସର ଦୁଇଟି ଟିମ୍ ଅତର୍କିତ ଚଢ଼ଉ କରି ବାଳିଆ ସହ ତା’ର ଦୁଇ ପ୍ରମୁଖ ସହଯୋଗୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨୬୪ ଗ୍ରାମ ବ୍ରାଉନ୍ସୁଗାର, ନଗଦଟଙ୍କା, ଦ୍ରୁତଗାମୀ ମୋଟରସାଇକଲ, ମୋବାଇଲ୍ ଫୋନ୍ ଆଦି ଜବତ କରିଛି ।

ବାଳିଆ ସହ ଗିରଫ ହୋଇଥିବା ଶ୍ରୀକାନ୍ତ ପରମଗୁରୁ ଓରଫ ଟୁଲୁ ଓରଫ କାକା(୩୨) ବିରୋଧରେ ମଧ୍ୟ ଖୋର୍ଦ୍ଧା ଥାନାରେ ୩ଟି ଓ ବେଗୁନିଆ ଥାନାରେ ଗୋଟିଏ ମାମଲା ରହିଥିବା ବେଳେ ସାରଥୀ ନାୟକ (୩୨)ବିରୋଧରେ ମଧ୍ୟ ଅନୁରୂପ ଏକାଧିକ ମାମଲା ରହିଥିବା ଜଣାଯାଇଛି ।

ଏନେଇ ଆଜି ଏସ୍ପି ଅଜୟ ପ୍ରତାପ ସ୍ୱାଇଁ, ଏସ୍ଡିପିଓ ସୁଶୀଲ ମିଶ୍ର ଓ ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଖୋର୍ଦ୍ଧାରେ ଯେଉଁ ବ୍ରାଉନ୍ସୁଗାର କାରବାରର ନେଟ୍ୱାର୍କ ଚାଲିଥିଲା ତାହା ବାଳିଆର ଗିରଫ ପରେ ପ୍ରାୟ ଭାଙ୍ଗିଯାଇଛି । ବାଳିଆର ଗିରଫ ପରେ ତା’ର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଅନ୍ୟମାନ ମଧ୍ୟ ଖୁବ୍ଶୀଘ୍ର ଧରାପଡ଼ିବେ । ଏସ୍ପି ଶ୍ରୀ ସ୍ୱାଇଁ କହିଛନ୍ତି ଯେ କେବଳ ଖୋର୍ଦ୍ଧା ଟାଉନ୍ ଥାନା ଇଲାକାରେ ୯୦ ପ୍ରତିଶତ ବ୍ରାଉନ୍ସୁଗାର ବେପାରୀ ପୁଲିସ ହାତରେ ଧରାପଡ଼ିଛନ୍ତି । କେବଳ ଗତ ୧ ବର୍ଷ ମଧ୍ୟରେ ୧୫ଜଣ ବ୍ରାଉନ୍ସୁଗାର ବେପାରୀ ପୁଲିସ ହାତରେ ଧରାପଡ଼ିଛନ୍ତି । ସେମାନଙ୍କ ନିକଟରୁ ୪କିଲୋଗ୍ରାମ ୩୧୯ ଗ୍ରାମ ବ୍ରାଉନ୍ସୁଗାର, ଯାହାର ଆନୁମାନିକ ମୂଲ୍ୟ ୪-୫କୋଟି ଟଙ୍କା ହେବ ଜବତ କରାଯାଇଛି । ଏହାସହ ସେମାନଙ୍କ ନିକଟରୁ ୯ଲକ୍ଷ ୭୯ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଖୋର୍ଦ୍ଧା ଟାଉନ୍ ପୁଲିସର ଏହି ସଫଳତା ପାଇଁ ସେ ଟାଉନ୍ ଥାନାର ସମସ୍ତ ଟିମ୍କୁ ଧନ୍ୟବାଦ ଦେଉଛନ୍ତି ବୋଲି ଏସ୍ପି ଶ୍ରୀ ସ୍ୱାଇଁ କହିଛନ୍ତି ।

ସମ୍ବନ୍ଧିତ ଖବର