ବରଯାତ୍ରୀ ବସ୍‌ ଧକ୍କାକୁ ନେଇ ମାରପିଟ୍, ୩ ଗିରଫ

ନିରାକାରପୁର : ଆଜି ମଧ୍ୟାହ୍ନରେ ରାମେଶ୍ବର ଛକ ନିକଟରେ ଏକ ବରଯାତ୍ରୀ ବସ୍‌ ଧକ୍କାକୁ ନେଇ ମାରପିଟ୍ ହୋଇଛି। ଏଥିରେ ଉଭୟ ପକ୍ଷରୁ ୬ ଜଣଙ୍କ ସମେତ ଜଣେ ନାବାଳକ ଆହତ ହୋଇଥିବା ଜଣାପଡ଼ିଛି। ବସ୍‌ ଭଙ୍ଗାରୁଜା ମଧ୍ୟ ହୋଇଥିଲା। ଖବର ପାଇ ଘଟଣାସ୍ଥାଳରେ ନିରକାରପୁର ପୁଲିସ୍‌ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପରେ ଉଭୟ ପକ୍ଷର ଆହତମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାକୁ ପୁଲିସ ପଠାଇଥିଲା। ଉଭୟ ପକ୍ଷଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିଛି। ତେବେ ଗୋଟିଏ ପକ୍ଷର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ତଦନ୍ତ ଚାଲୁ ରହିଛି। ଯଥାଶୀଘ୍ର ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିରାକାରପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଭବାନୀଶଙ୍କର ଖୁଣ୍ଟିଆ ସୂଚନା ଦେଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ସ୍ଥାନୀୟ ଖଜୁରୀପଡା ମୁସଲମାନ ସାହିର ଅବଦୁଲ୍ ଖାଁ ଓ ରାମେଶ୍ବର ଅଞ୍ଚଳର ଦାଶରଥୀ ପ୍ରଧାନ ନିଜ ବାଇକ୍‌ରେ ରାମେଶ୍ବର ଛକକୁ ଯାଉଥିଲେ। ରାମେଶ୍ବର ଛକ ପୂର୍ବରୁ ପୁରୀ ଅଭିମୁଖେ ଗଂଜାମ ଜିଲ୍ଲା ଗୋପାଳପୁର ଅଞ୍ଚଳରୁ ବରଯାତ୍ରୀ ନେଇ ଯାଉଥିବା ଏକ ବସ୍‌ର ଡୋର୍‌ ମଝି ରାସ୍ତାରେ ଖୋଲି ଦେବାରୁ ଉଭୟ ବାଇକ୍ ଆରୋହୀ ଧକ୍କା ଖାଇ ଆହତ ହୋଇଥିଲେ। ଘଟଣାସ୍ଥଳରେ ବାଇକ୍ ଆରୋହୀ ଅବଦୁଲ୍‌ଙ୍କ ମୁଁହ ଫାଟିଥିବାବେଳେ ପଛରେ ବସିଥିବା ଦାଶରଥୀ ମଧ୍ୟ ଆହତ ହୋଇଥିଲେ। ଏହାକୁ ବରଯାତ୍ରୀ ଦଳ ଓ ଆହତ ବାଇକ୍‌ ଆରୋହୀଙ୍କ ମଧ୍ୟରେ ବଚସା ହୋଇଥିଲା। କଥା ମାରପିଟ୍ ଯାଏ ଯାଇଥିଲା। ଖବର ପାଇ ସେଠାରେ ଗ୍ରାମର କିଛି ଯୁବକ ପହଞ୍ଚିବାରୁ ଉତ୍ତେଜନା ବୃଦ୍ଧି ପାଇଥିଲା। ମାରପିଟ୍‌ରେ ବସ୍‌ରେ ଥିବା ଜଣେ ନାବାଳକ ରାଜା ଦାସ ସମେତ ବିଜୁ ଦାସ, ଲକ୍ଷ୍ମଣ ଦାସ, ସରତ ଦାସ, ଅର୍ଜୁନ ଦାସ ଆହତ ହୋଇଥିଲେ। ଉଭୟ ପକ୍ଷଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ବସ୍‌ରେ ଥିବା ଧନୁଦାସ, ଗୋପାଳ ଦାସ ଓ ଶରତ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର