ଦିନରେ ରାଜମିସ୍ତ୍ରି, ରାତିରେ ଡକାୟତି
ଜଟଣୀ : ଲୁଟ୍, ରାହାଜାନି, ଡକାୟତି ଘଟଣା ଘଟାଇ ପୁଲିସର ନିଦ ହଜାଇ ଦେଇଥିବା ଡକାୟତ ଗ୍ୟାଙ୍ଗର ୬ଜଣ ସଦସ୍ୟଙ୍କୁ ଜଟଣୀ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ବାଲିଚକ ମୁଣ୍ଡିଆସାହିର ସନା ଓରଫ ସନାତନ ଓରଫ ରଘୁନାଥ ଦଳେଇ (୨୪), ରାଜାବଜାର ଅଞ୍ଚଳର ରହେମାନ ଖାନ୍ (୨୫), ବାଚ୍ଛରାପାଟଣାର ବବୁନ୍ କୁମାର ଦାସ (୩୦), ରାଜା ବଜାରର କାହ୍ନ ଦାସ (୩୪), ନାସିରୁଦ୍ଦିନ୍ ମିଦା (୨୮) ଏବଂ ବାଲିଚକ ସାହିର ଟୁକୁନା ଓରଫ ପ୍ରଭାତ ଚନ୍ଦ୍ର ସାହୁ (୩୦)। ଆଜି ରଘୁନାଥ ଓ ରହେମାନକୁ କୋର୍ଟଚାଲାଣ କରାଯାଇଥିବା ବେଳେ ଆସନ୍ତାକାଲି ଅନ୍ୟମାନଙ୍କୁ କରାଯିବ ବୋଲି ଥାନା ଅଧିକାରୀ ସଞ୍ଜୀବ ମହାନ୍ତି ସୂଚନା ଦେଇଛନ୍ତି। ଏମାନେ ଜଟଣୀ ଥାନା ଅଞ୍ଚଳରେ ବିଭିନ୍ନ ମନ୍ଦିର ଓ ଘରୁ ଡକାୟତି କରିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ତେବେ ଏହି ଡକାୟତ ଗ୍ୟାଙ୍ଗରେ ଆଉ କେତେଜଣ ସଦସ୍ୟ ରହିଛନ୍ତି, ସେ ସଂପର୍କରେ ପୁଲିସ ଖୋଳତାଡ଼ ଚଳାଇଛି।
ଏମାନଙ୍କଠାରୁ ପୁଲିସ ଗୋଟିଏ ନୂଆ କଳାରଙ୍ଗର ପଲସର୍, ୧୩୯ ଗ୍ରାମ୍ର ସୁନା ଅଳଙ୍କାର, ୨କେଜିର ରୁପା ଗହଣା, ଅଧକେଜି ରୁପା ବାସନ କୁସନ, ଗୋଟିଏ ୫୧ଇଞ୍ଚ ଏଲ୍ଇଡି ଟିଭି, ଏକ ଲାପ୍ଟପ, ଏକ ଟାବ୍, ୧୨ଟି ମୋବାଇଲ୍, ଏକ ଦାମିକିଆ ପାଓ୍ଵାରବ୍ୟାଙ୍କ୍, ଦୁଇଟି ଡିଜିଟାଲ୍ କ୍ୟାମେରା, ଗୋଟିଏ ଇଲେକ୍ଟ୍ରୋନିକ୍ ସିଲେଇ ମେସିନ୍, ଏକ ଜାପାନୀ ମସାଜ୍ ମେସିନ୍, ଇଲେକ୍ଟ୍ରି ଆଇରନ୍, ଏକ ଡିଭିଡି ପ୍ଲେୟାର୍, ଏଚ୍ପି ଗ୍ୟାସ୍ ସିଲିଣ୍ଡର୍ ସମେତ ନଗଦ ୨୫ ହଜାର ୭ ଶହ ଟଙ୍କା ଓ ୪ ହଜାର ୭ଶହ ୭୫ଟଙ୍କା କଏନ୍ ପୁଲିସ ଜବତ କରିଛି। ସନା ରାଜମିସ୍ତ୍ରୀ ଭାବେ କାମ କରେ। ଏଥିପାଇଁ ସେ ବିଭିନ୍ନ ସ୍ଥାନକୁ ଯାଉଥିବା ବେଳେ କିଏ କେଉଁ ଘରେ ରହୁଛି, କେତେବେଳେ ରହୁଛନ୍ତି, ସେ ସଂପର୍କରେ ସନ୍ଧାନ କରିଥାଏ। ପରେ ରାତିରେ ତା’ ସହଯୋଗୀମାନଙ୍କ ସହ ସେହି ଘରେ ଡକାୟତି କରିବାକୁ ଯୋଜନା କରିଥାଏ। ବାଲିଚକସାହିରୁ ଗତ ୧୨ ତାରିଖରେ ଚୋରି କରିବା ବେଳେ ସନା ଧରାପଡ଼ିଥିଲା। ପୁଲିସ ତାକୁ ପଚରାଉଚରା ବେଳେ ତା’ ନିକଟରୁ ଏହି ସୂଚନା ପାଇଥିଲା। ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ତାର ସହଯୋଗୀମାନଙ୍କୁ ଗିରଫ କରିଥିବା ଜଣାଯାଇଛି।
ବ୍ରାଉନ୍ ସୁଗାର ଜବତ, ୩ ଗିରଫ
ଖୋର୍ଧା : ସ୍ଥାନୀୟ ଟାଉନ୍ ହଲ ନିକଟରୁ ଖୋର୍ଧା ଟାଉନ୍ ଥାନା ପୁଲିସ ୩ ଜଣ ବ୍ରାଉନ୍ ସୁଗାର ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ଖୋର୍ଧା ଶ୍ରୀବିହାର ଅଞ୍ଚଳର ଆନନ୍ଦ ପଶ୍ଚିମକବାଟ, ତଳସାହିର ପ୍ରଫୁଲ୍ଲ କୁମାର ବାରିକ ଓ ଖ୍ରୀଷ୍ଟିଆନ୍ ସାହିର ଜଗନ୍ନାଥ ସିଂହ। ସେମାନଙ୍କଠାରୁ ୧୦ ଗ୍ରାମ୍ର ବ୍ରାଉନ୍ ସୁଗାର ଜବତ ହୋଇଛି। ଏହାର ଆନ୍ତର୍ଜାତିକ ବଜାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି। ଏନେଇ ନମ୍ବର ୭୦/୧୮ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଆଜି ଏହି ୩ ଅଭିଯୁକ୍ତ ଟାଉନ୍ ହଲ ନିକଟରେ ବ୍ରାଉନ୍ ସୁଗାର ବେପାର କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା।