ଖୋର୍ଦ୍ଧାରେ ସାମାଜିକ ଦୂରତ୍ୱ କଟକଣାକୁ ଅମାନ୍ୟ କରି ୭ ଦୋକାନ ସିଲ

ଖୋର୍ଦ୍ଧା  : ଗୁରୁବାରଦିନ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ଓ କରୋନା କଟକଣା ଅମାନ୍ୟ କରିଥିବାରୁ ୭ଟି ଦୋକାନକୁ ସିଲ୍ କରାଯାଇଛି ।
ଖୋର୍ଦ୍ଧାରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଦୁଇ ଦିନ ପୂର୍ବେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଟକଣାକୁ କଡ଼ାକଡ଼ି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁସାରେ ଗତ ଦୁଇ ଦିନ ଧରି ଉପଜିଲ୍ଲାପାଳ, ପୌର ନିର୍ବାହୀ ଅଧିକାରୀ, ପୁଲିସ ଖୋର୍ଦ୍ଧା ସହରରେ ବିଭିନ୍ନ ଦୋକାନ ବଜାରରେ ଚଢ଼ଉ କରିଥିଲେ । ରାସ୍ତାଘାଟରେ ବିନା ମାସ୍କରେ ବୁଲୁଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରିଥିଲେ । ଆଜି ଖୋର୍ଦ୍ଧା ବଜାରରେ ସାମାଜିକ ଦୂରତ୍ୱ ନମାନିବା, ଦୋକାନରେ ସାବୁନ୍, ସାନିଟାଇଜର ନରଖିବା ଏବଂ ଗ୍ରାହକଙ୍କୁ ମାସ୍କ ପିନ୍ଧିବା ନେଇ ସଚେତନ ନକରାଇବା ଘଟଣାରେ ୭ଟି ଦୋକାନକୁ ସିଲ କରାଯାଇଛି ।

ଏନେଇ ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କହିଛନ୍ତି ଯେ ଯାଂଚ ସମୟରେ ୨ ଅଳଙ୍କାର ଦୋକାନ, ଗୋଟିଏ ଜୁସ୍ ଦୋକାନ, ଗୋଟିଏ ଲୁଗା ଦୋକାନ, ଭେରାଇଟି ଦୋକାନ ଓ ଗୋଟିଏ ଫାଷ୍ଟଫୁଡ୍ ଦୋକାନକୁ ସିଲ୍ କରାଯାଇଛି । ନିର୍ଦ୍ଧାରିତ ସମୟ ପରେ ସେମାନେ ଜୋରିମାନା ସହ ଏକ ଘୋଷଣାପତ୍ର ଦାଖଲ କରିବେ । ଦୋକାନ ଆଗରେ ବେରିକ୍ୟାଡ୍ ସହ ଅନ୍ୟ ନିୟମପାଳନ କରିବେ । ଯଦି ପୁଣିଥରେ ନିୟମଭଙ୍ଗ କରନ୍ତି ତେବେ ଦୋକାନଗୁଡ଼ିକୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ସିଲ୍ କରାଯିବା ସହ ଲାଇସେନ୍ସ ରଦ୍ଦ କରାଯିବ ।

ସମ୍ବନ୍ଧିତ ଖବର