ତହସିଲଦାରଙ୍କୁ ହତ୍ୟା ଉଦ୍ୟମ : ରାତିଅଧିଆ ଚଢ଼ଉ, ଆଉ ୮ ଗିରଫ

ସୋମବାର ଓଏଏସ୍‌ ସଂଘର ପରବର୍ତୀ ବୈଠକ

ଖୋର୍ଧା : ରକ୍ତମୁଖା ପଥର ଓ ଖଣି ମାଫିଆମାନଙ୍କୁ ସାବାଡ଼ କରିବା ପାଇଁ ଖୋର୍ଧା ଜିଲ୍ଲା ପୁଲିସ ଅଭିଯାନ ଚଳାଇଛି। ବେଆଇନ ଖଣିରେ ଚଢ଼ଉ ବେଳେ ୩ ପ୍ରଶାସନିକ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପୁଲିସ ଆଜି ୮ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ମାନସ ଜେନା, କ୍ଷେତ୍ରବାସୀ ବଡ଼ଜେନା, ବିଜୟ ବଡ଼ଜେନା, ବୁଲି ପ୍ରଧାନ, ଅମ୍ଳାନଜ୍ୟୋତି ଛୋଟରାୟ, ଧନଂଜୟ ଛୋଟରାୟ, କାର୍ତ୍ତିିକ ମାର୍ଥା, ସୁବାସ ଚନ୍ଦ୍ର ଦଳସିଂହରାୟ। ଏହି ଘଟଣାରେ ଗତ ୮ ତାରିଖ ଦିନ ପୁଲିସ ବୈକୁଣ୍ଠନାଥ ରଣବୀରକୁ ଗିରଫ କରିଥିଲା। ଫଳରେ ଆଜିର ଗିରଫଦାରୀକୁ ମିଶାଇ ମୋଟ ୯ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି। ଏ ସମସ୍ତ ଅଭିଯୁକ୍ତମାନଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ବାକି ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ତେବେ ଅନ୍ଧାରରେ ବାଡ଼ି ବୁଲାଇବା ନ୍ୟାୟରେ ଏହି ଘଟଣାରେ ସମ୍ପୃକ୍ତ ନଥିବା କେତେକ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଖୋର୍ଧା ଏସ୍‌ପି ଦୀପ୍ତିରଂଜନ ରାୟଙ୍କ ନେତୃତ୍ଵରେ ଜିଲ୍ଲାର ୨ଜଣ ଏସ୍‌ଡିପିଓ, ୨ଜଣ ଡ଼ିଏସପି, ଚାରୋଟି ଥାନା ଅଧିକାରୀ, ୫ପ୍ଲାଟୁନ୍‌ ବନ୍ଧୁକଧାରୀ ପୁଲିସ ବଡ଼ପୋଖରିଆ ଗ୍ରାମରେ ଗତ ରାତି ୨ଟାଠାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ଚଢ଼ାଉ କରି ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ପୁଲିସର ଏଭଳି ବଡ଼ଧରଣର ଚଢ଼ାଉ ଖୋର୍ଧା ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଓଏଏସ୍‌ ଅଫିସର ସଂଘ ଦେଇଥିବା ୪୮ ଘଣ୍ଟାର ମହଲତ ଆଜି ଶେଷ ହୋଇଛି। ଆସନ୍ତାକାଲି ଛୁଟି ଥିବାରୁ ସୋମବାର ଭୁବନେଶ୍ୱରରେ ସଂଘର ଜରୁରୀ ବୈଠକ ବସି ପରବର୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଗତ ୭ ତାରିଖ ଅପରାହ୍‌ଣରେ ଟାଙ୍ଗୀ ତହସିଲଦାର ଆଶିଷ କୁମାର ଜେନା, ଖୋର୍ଧା ତହସିଲଦାର ଶୁଭେନ୍ଦୁ କୁମାର ସାମଲ ଓ ଚିଲିକାର ଅତିରିକ୍ତ ତହସିଲଦାର ପୃଥ୍ଵୀରାଜ ମଣ୍ଡଳ ବେଆଇନ ଖଣି ଉପରେ ଚଢ଼ଉ କରି କେତେକ ଗାଡ଼ି ଜବତ କରି ଟାଙ୍ଗୀ ନେଉଥିଲେ। ଉଗ୍ରତାରା ଛକ ନିକଟରେ ଖଣି ମାଫିଆମାନେ ସଂଘବଦ୍ଧ ଭାବେ ଏହି ୩ ସରକାରୀ ଅଧିକାରୀଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିବା ସହ ସେମାନଙ୍କଠାରୁ ଜବତ ଗାଡ଼ି ଛଡ଼ାଇ ନେଇଥିଲେ ବୋଲି ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଥିଲା। ଟାଙ୍ଗୀ ତହସିଲଦାରଙ୍କ ଏହି ଲିଖିତ ଅଭିଯୋଗରେ ୧୦ ଜଣଙ୍କ ନାମ ସହ ମୋଟ ୪୦ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ତେବେ ପଥର ମାଫିଆଙ୍କ ଏପରି ଆକ୍ରମଣ ଘଟଣାକୁ ଓଏଏସ୍‌ ଅଫିସର ସଂଘ ପକ୍ଷରୁ ତୀବ୍ର ପ୍ରତିବାଦ କରାଯିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ୪୮ ଘଣ୍ଟାର ମହଲତ ଦିଆଯାଇଥିଲା।

ସମ୍ବନ୍ଧିତ ଖବର