ବାଲିପାଟଣା : ୪ ଦଫା ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବାଲିପାଟଣା :   ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ତହସିଲରେ ହେଉଥିବା ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ଆଜି ବ୍ଲକ ବିଜେଡି ସଂଗଠନ ତରଫରୁ ଧାରଣା ଦିଆଯାଇଛି । ମୁଖ୍ୟତଃ ୪ ଟି ପ୍ରସଙ୍ଗକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି । ଜୟଦେବ ନିର୍ଵାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ବିଜେଡି ସଂଗଠନ ଏହି ଧାରଣାର ନେତୃତ୍ୱ ନେଇଛି । ସୂଚନା ଅନୁସାରେ, ବ୍ଲକ ବିଜେଡି ଯୁବ ସଭାପତି ରଂଜିତ କୁମାର ଜେନା (ରାନୁ) ଏବଂ ଅନୁସୂଚିତ ଯୁବ ମୋର୍ଚ୍ଚା ସଭାପତି କୈଳାଶ ଚନ୍ଦ୍ର ସେଠି (କାଳୁ)ଙ୍କ ନେତୃତ୍ୱରେ ଶତାଧିକ ମହିଳା ଏବଂ ପୁରଷ ଆଜି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଗତ ବର୍ଷ ମେ ମାସରେ ହୋଇଥିବା ଫନି ବାତ୍ୟାକୁ ୧୮ ମାସ ବିତିଲାଣି । ସରକାର ସହାୟତା ଘୋଷଣା କଲେ । ସ୍ଥାନୀୟ ତହସିଲ ଅଧୀନରେ ସହାୟତା ପ୍ରଦାନ କ୍ଷେତ୍ରରେ ବ୍ୟାପକ ଘୋଟାଲା ହେଲା । ଘରଭଙ୍ଗା ଏବଂ ପାନଚାଷୀଙ୍କୁ ଏଯାଏଁ ଟଙ୍କା ମିଳିଲା ନାହିଁ । ରାଜସ୍ୱ ନିରୀକ୍ଷକ ଦଲାଲଙ୍କୁ ହାତ କରି ମିଛ ରିପୋର୍ଟ ପ୍ରସ୍ତୁତ କଲେ । ବହୁ ବଡ଼ ବଡ଼ିଆଙ୍କୁ ଆଖି ବୁଝି ଟଙ୍କା ବାଣ୍ଟି ଦେଲେ । କିନ୍ତୁ ପ୍ରକୃତ ହିତାଧିକାରୀ ଏବଂ ଗରିବ ଲୋକେ ଏଥିରୁ ବାଦ ପଡିଲେ । ଏବେ ବି ବହୁ ଲୋକ ଜରିପାଲ ତଳେ ମୁଣ୍ଡ ଗୁଞ୍ଜିଛନ୍ତି । ପୂର୍ବରୁ ବହୁବାର ଅଭିଯୋଗ ହୋଇଛି । ହେଲେ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଆଖି ଦୃଷ୍ଟିଆ କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ । କିଛି ଦିନ ତଳେ ବାଲିଘାଟ ନିଲାମରେ ହୋଇଛି । ଅଧିକ ଟଙ୍କା ଟେଣ୍ଡର ପକାଇଥିବା ଲୋକଙ୍କୁ ଵାଦ ଦିଆଯାଇଛି । କମ ଟଙ୍କା ଟେଣ୍ଡର ପକାଇ ଘାଟ ନିଲାମ ହାତେଇଛନ୍ତି । ବାଲିଘାଟ ଟେଣ୍ଡରରେ ମଧ୍ୟ ଦୁର୍ନୀତି ହୋଇଛି । ଜମି ରେଜେଷ୍ଟ୍ରି କରୁଥିବା ଲୋକଙ୍କୁ ପଟ୍ଟା ବିଳମ୍ୱରେ ମିଳୁଛି । ସେଥିପାଇଁ ମଧ୍ୟ କର୍ମଚାରୀ ମାନେ ଉତ୍କୋଚ ମାଗୁଛନ୍ତି । କାର୍ଯ୍ୟାଳୟକୁ କାମରେ ଆସୁଥିବା ସାଧାରଣ ଲୋକଙ୍କୁ କେତକ କର୍ମଚାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଗରିବ ଗୁରୁବା ଲୋକଙ୍କୁ ଅଣଦେଖା କରାଯାଉଛି । ଏହି ସବୁ ଦାବିକୁ ପ୍ରସଙ୍ଗ କରି ଆଜିର ଧାରଣା ଜାରି ରହିଛି । ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।

ସମ୍ବନ୍ଧିତ ଖବର