ଆଇଆଇଟିରେ ‘ଆଲ୍‌ମା ଫେଷ୍ଟ୍‍’ ଉଦ୍‌ଘାଟିତ

ଜଟଣୀ : ଜଟଣୀସ୍ଥିତ ଭୁବନେଶ୍ୱର ଆଇଆଇଟିର ବାର୍ଷିକ ସାଂସ୍କୃତିକ ସମାରୋହ ‘ଆଲ୍‌ମା ଫେଷ୍ଟ୍‍’ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଓଡ଼ିଶା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଂଗୀତା ଗୋସେଇଁ ମୁଖ୍ୟଅତିଥି ଏବଂ ଭୁବନେଶ୍ୱର ଆଇଆଇଟି ନିର୍ଦେଶକ ପ୍ରଫେସର ଡ. ଆର୍‌ଭି ରାଜାକୁମାର ଏବଂ ପ୍ରଫେସର ଡ. ଭିଆର୍‌ ପେଡିରେଡି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିନ୍ନତା ମଧ୍ୟରେ ଏକତାର ପ୍ରମୁଖ ଭୂମିକା ସାଂସ୍କୃତିକ କାର୍ଯ୍ୟକଳାପ ଉପରେ ରହିଛି। ଅତିଥିମାନେ ସାମାଜିକ ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

୩ଦିନ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟର ୩ଶହ ମହାବିଦ୍ୟାଳୟରୁ ୧ ହଜାରରୁ ଉର୍ଧ୍ୱ ପ୍ରତିଯୋଗୀଙ୍କ ମଧ୍ୟରେ ନୃତ୍ୟ, ଗୀତ, ଚିତ୍ର, ସାହିତ୍ୟ, କବିତା, ଗଳ୍ପ ଓ ସୃଜନାତ୍ମକ ଜ୍ଞାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ନିର୍ଦେଶକ ଶ୍ରୀ ରାଜାକୁମାର ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ଅଧ୍ୟକ୍ଷ କୌଶିକ ଦାସ, ଛାତ୍ର ପରିଷଦ ଉପସଭାପତି ଅଭିନାଶ ଅଙ୍କିତ ରାଉତ ଏବଂ ସ୍ୱୟଂ ଶୁକ୍ଳ ଏହାକୁ ପରିଚାଳନା କରିଥିବା ବେଳେ ଅଙ୍କୁର ଗୁପ୍ତା ଧନ୍ୟବାଦ ଦେଇଥିଲେ।

ଆଇଆଇଟି ପକ୍ଷରୁ ଜଟଣୀର ଅରଗୁଳ ସମେତ ୫ଟି ଗ୍ରାମର ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବାକୁ ଥିବାରୁ କୁଳସଚ୍ଚିବ ଡ. ଦେବରାଜ ରଥ ଏବଂ ଛାତ୍ର ମଙ୍ଗଳ ଉପଦେଷ୍ଟା ପ୍ରଫେସର୍‌ ଡ. ରାଜେଶ ରୋଶନ ଦାଶ ପ୍ରମୁଖ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରର ସ୍ୱାଭିମାନ ସଂଗଠନର ଦିବ୍ୟାଙ୍ଗ ନୃତ୍ୟ ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର