ଅଂଶୀଦାରଙ୍କୁ ମୃତ ଦର୍ଶାଇ ୪ ଲକ୍ଷ ଟଙ୍କାର ସମ୍ପତ୍ତି ବିକ୍ରି

ବାଲିଅନ୍ତା : ବାଲିଅନ୍ତା ତହସିଲ ଭିଙ୍ଗାରପୁର ରାଜସ୍ବ ସର୍କଲ ଅଧୀନ ଭିଙ୍ଗାରପୁର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ ଜିତିକାଲସୁଆଁଲୋ ମୌଜା ଅଞ୍ଚଳରେ ଦୁଇ ଜଣ ଅଂଶୀଦାର ପରିବାର ଅନ୍ୟ ଅଂଶୀଦାରଙ୍କୁ ଅବିବାହିତ ମୃତ ଦର୍ଶାଇ ୪ ଲକ୍ଷ ଟଙ୍କାର ସମ୍ପତ୍ତି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ସ୍ବର୍ଗତ ବାମଦେବ ଦାଶଙ୍କୁ ଅବିବାହିତ ମୃତ ଦର୍ଶାଯାଇଛି ।  ମିଥ୍ୟା ସତ୍ୟପାଠ ଜରିଆରେ ଅଭିଯୁକ୍ତ ଦୁଇ ପରିବାର ଉକ୍ତ ପ୍ଲଟ ନଂ ୨୩୨ ବିକ୍ରି କରିଦେବାରେ ସଫଳ ହୋଇଥିବା ଜଣାପଡ଼ିଛି । ହେଲେ ସ୍ବର୍ଗତଃ ବାମଦେବଙ୍କ ଦୁଇ ପୁଅଝିଅମାନେ ଅନ୍ୟତ୍ର ରହୁଛନ୍ତି । ଏସଂପର୍କରେ ତାଙ୍କ ପୁଅ ରବିନ୍ଦ୍ରନାଥ ଦାଶ ଭୁବନେଶ୍ବର ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଜମିର ପଟ୍ଟା ରଦ୍ଦ କରି ନିଜ ନାମକୁ ଫେରାଇ ଆଣିବା ପାଇଁ ଦାବି କରିଛନ୍ତି । ଏହି ଘଟଣା ଏଠାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତ ଅଷ୍ଟୋବର ମାସ ୧୧ ତାରିଖରେ ଜିତିକାଲସୁଆଁଲୋ ମୌଜାରେ ଥିବା ପ୍ଲଟ ନଂ ୨୩୨ କୁ ଏଭଳି କାରସାଦି କରି ବିକ୍ରି କରାଯାଇଥିବା ଅଭିଯୋଗ  ହୋଇଛି । ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ତହସିଲ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟର ଅସାଧୁ କର୍ମଚାରୀ ଏହି ଜମି ଜାଲିଆତି ମାମଲାରେ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି । ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ସବ ରେଜିଷ୍ଟ୍ରାର ଙ୍କ ପୂର୍ବରୁ ଏହି ଘଟଣା ଘଟିଛି । ବଡ଼ କଥା ହେଉଛି ଜମିର ପଟା ମଧ୍ୟ ନୂଆ କ୍ରେତାଙ୍କ ନାମରେ ମଂଜର ହୋଇଛି ।

 

ସମ୍ବନ୍ଧିତ ଖବର