ନିରାକାରପୁର : ଗତ ବିଳମ୍ବିତ ରାତିରେ ଶ୍ରୀରାମ ବଜାରସ୍ଥିତ ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ଥିବା ଏକ ଏକ୍ସିସ୍ ଏଟିଏମ୍କୁ ଦୁବୃର୍ତ୍ତମାନେ ଭାଙ୍ଗି ୧୧ ଲକ୍ଷ ୨୨ ହଜାର ୬ ଶହ ଟଙ୍କା ଲୁଟି ନେଇଛନ୍ତି।
ସୂଚନାଯୋଗ୍ୟ ଆଜି ଭୋର୍ରେ ଏଟିଏମ୍ ବସିଥିବା ଜାଗାର ମାଲିକଙ୍କ ସାନ ଭାଇ ମର୍ଣ୍ଣିଂଓ୍ଵାକ୍ ପାଇଁ ଯାଉଥିବା ସମୟରେ ଏଟିଏମ୍ ଭିତରୁ ଧୂଆଁ ବାହାରୁଥିବା ଦେଖି ବଡ଼ଭାଇ ନବକୃଷ୍ଣ ମହାପାତ୍ରଙ୍କୁ ଖବର ଦେଇଥିଲେ। ବଡ଼ଭାଇ ନବକୃଷ୍ଣ ଏ ସଂକ୍ରାନ୍ତରେ ନିରାକାରପୁର ଥାନାକୁ ଜଣାଇଥିଲେ। ନିରାକାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଏଟିଏମ୍କୁ କୌଣସି ଏକ ଗ୍ୟାସ୍ କଟରରେ କଟାଯାଇ ବ୍ୟବହୃତ ହାର୍ଡଡିସ୍କ୍କୁ ବାହାର କରି ଦିଆଯାଇଛି ଏବଂ ଭିତରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଗ୍ୟାସ୍ କଟର୍ ବ୍ୟବହୃତ ହୋଇଥିବାରୁ ଏଟିଏମ୍ କାଉଣ୍ଟରଟି ସମ୍ପୂର୍ଣ୍ଣ ଧୂଅାଁମୟ ହେବା ସହ ପୋଡ଼ା ଗନ୍ଧ ବାହାରୁଥିଲା। ଖୋର୍ଧା ଏସ୍ପି ଦୀପ୍ତିରଂଜନ ରାୟ, ବାଲୁଗାଁ ଏସ୍ଡିପିଓ ସୁବାସ ଚନ୍ଦ୍ର ପଣ୍ଡା, ନିରାକାରପୁର ଥାନା ନିରୀକ୍ଷକ ସରେଜ କୁମାର ଉପାଧ୍ୟାୟ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପଡ଼ୋଶୀ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ପୁରୀରୁ ସାଇଣ୍ଟିଫିକ୍ ଟିମ୍ ଆସି ମଧ୍ୟ ତଦନ୍ତ କରିଛନ୍ତି।
କିଛି ମାସ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଥିବା ଏସ୍ବିଆଇ ଏଟିଏମ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା। କୌଣସି କାରଣରୁ ଲୁଟେରାମାନେ ସେଥିରେ ସଫଳ ହୋଇପାରିନଥିଲେ। ଏନେଇ ନିରାକାରପୁରରେ ଥାନାରେ ମଧ୍ୟ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ସରୋଜ କୁମାର ଉପାଧ୍ୟାୟ କହିଛନ୍ତି।
ଅନୁରୂପ ଭାବରେ ଗତ ରାତିରେ ମଧ୍ୟ ପୁରୀ ଜିଲ୍ଲା ଜଙ୍କିଆ ଗଡ଼ସାହି ଏକ୍ସିସ୍ ଏଟିଏମ୍ରୁ ୨୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଥିବା ଜଣାଯାଇଛି।