ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଯୁବକଙ୍କ ଆତଙ୍କରାଜ, ୨ ଡାକ୍ତରଙ୍କୁ ଆକ୍ରମଣ କରି ଫେରାର୍

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ଜଣ ଯୁବକ ବେଶ୍ କିଛି ସମୟ ଧରି ଆତଙ୍କରାଜ ସୃଷ୍ଟି କରିବା ସହ ଦୁଇଜଣ କାର୍ଯ୍ୟରତ ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହ ପିଭିସି ପାଇପରେ ଆକ୍ରମଣ କରିଛନ୍ତି । ସିସିଟିଭି ଫୁଟେଜରୁ ଆକ୍ରମଣକାରୀ ଯୁବକଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏଯାଏଁ ଯୁବକଙ୍କୁ ଗିରଫ କରାଯାଇନଥିବା ଜଣାଯାଇଛି ।

ସୂଚନାନୁସାରେ, ଆଜି ଅପରାହ୍ଣ ସାଢ଼େ ୫ଟାରେ ସରଦାପୁରର ସେକ୍ ଅମିନ୍ (୪୦) ନାମକ ଜଣେ ବ୍ୟକ୍ତି ହାତରେ ଏକ ପିଭିସି ପାଇପ୍ ଧରି ସର୍ଜରୀ ୱାର୍ଡ ମଧ୍ୟକୁ ପଶିଥିଲେ । ସେଠାରେ ଥିବା ଲୋକଙ୍କୁ ଭୟଭୀତ କରିବା ସହ ୱାର୍ଡରେ କାର୍ଯ୍ୟରତ ଦୁଇଜଣ ଡାକ୍ତର ଶ୍ୟାମା ପ୍ରସନ୍ନ ମିତ୍ର ଓ ଶୁଭ୍ରାଂଶୁ କୁମାର ସାହୁଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀ ସେକ୍ ଅମିନ୍ ସହ ଦୁଇଜଣ ସହଯୋଗୀ ମଧ୍ୟ ଡାକ୍ତରଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପ୍ରାଣରେ ମାରିଦେବାକୁ ଧମକ ଦେଇଥିଲେ । ଯୁବକଙ୍କ ଉଗ୍ର ରୁପ ଦେଖି ୱାର୍ଡରେ ଥିବା ନିରାପତ୍ତା କର୍ମଚାରୀ, ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଭୟଭୀତ ହୋଇଯାଇଥିଲେ । ଏନେଇ ଡାକ୍ତର ଶ୍ରୀ ମିତ୍ର ଓ ସାହୁ ହସ୍ପିଟାଲର ଅଧିକ୍ଷକ ରଘୁନାଥ ନାୟକଙ୍କୁ ଲିଖିତ ଅଭିଯୋଗ କରିବପରେ ଅଧିକ୍ଷକ ଏନେଇ ଟାଉନ୍ ଥାନାରେ ଏତଲା ଦେଇଛନ୍ତି । ଯୁବକ ତିନିଜଣଙ୍କ ସିସିଟିଭି ଫୁଟେଜରୁ ସେମାନଙ୍କୁ ଚିହ୍ନଟ କରାଯାଇଛି ।

ତେବେ ଏନେଇ ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ସିଂହଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ସେ ଫୋନରେ ସୂଚନା ପାଇଛନ୍ତି । ଲିଖିତ ଅଭିଯୋଗ ଏଯାଏଁ ହସ୍ତଗତ ହୋଇନାହିଁ । ଅଭିଯୋଗ ଆସିବା ପରେ ଆଇନାନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର