ନିରାକାରପୁର : ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ପ୍ରେମିକା ଘର ଲୋକେ ତୁମୁଳ କାଣ୍ଡ ରଚାଇଛନ୍ତି। ଫୋନ୍ରେ ଡକାଇ ପ୍ରେମିକକୁ ଧରିନେଇ ଖୁଣ୍ଟରେ ବାନ୍ଧି ଧୁମ୍ ପିଟିଛନ୍ତି। ଏପରିକି ତାଙ୍କ ଆଖି ତାଡ଼ିଦେବା ସହ ମୋବାଇଲ୍ ଫୋନ୍ ଏବଂ ସୁନା ଚେନ୍ ଛଡ଼ାଇ ନେଇ ହତ୍ୟା ଧମକ ଦେଇଛନ୍ତି। ଖୋର୍ଧା ଉପଖଣ୍ଡ ଜଙ୍କିଆ ଥାନା ଅଧୀନ ଗୋଳବାଇ ପଞ୍ଚାୟତରେ ସଂଘଟିତ ଏହି ଲୋମହର୍ଷଣକାରୀ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସଂପୃକ୍ତ ଯୁବକ ଜଣକ ଗୁରୁତର ଆହତ ହୋଇ ଏବେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୁଲିସ ବିଭିନ୍ନ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ, ପ୍ରେମିକ ଜଣକ କୁଆଡ଼େ ଘରେ ପଶି ଦୁଷ୍କର୍ମ କରୁଥିଲେ ବୋଲି ସଂପୃକ୍ତ ଯୁବତୀ ଜଣକ ଥାନାରେ ପାଲଟା ଅଭିଯୋଗ କରିବା ଘଟଣା ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ଯୁବତୀଙ୍କର ଡାକ୍ତରୀ ମାଇନା କରିବା ସହ ଉଭୟ ପକ୍ଷର ଏତଲାକୁ ଭିତ୍ତି କରି ତଦନ୍ତ ଜାରି ରଖିଛି।
ଗୋଳବାଇ ପଞ୍ଚାୟତ ବ୍ରାହ୍ମଣସାହିର ବୁଦ୍ଧେଶ୍ୱର ବେହେରାଙ୍କ ପତ୍ନୀ ସ୍ନେହଲତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବଡ଼ପୁଅ ବିଶ୍ୱଜିତ୍(୧୮) ଜଣେ ଇଞ୍ଜିନିୟରିଂ ଡିପ୍ଲୋମା ଛାତ୍ର। ସେହି ଗୋଳବାଇ ପଞ୍ଚାୟତ ଗୁଣ୍ଠୁଣୀ ଗ୍ରାମର ମାମା (ଛଦ୍ମନାମ) ନାମକ ଜନୈକା ଝିଅକୁ ବିଶ୍ୱଜିତ୍ ଭଲ ପାଉଥିଲା। ମାମା ମଧ୍ୟ ବିଶ୍ୱଜିତ୍କୁ ଭଲ ପାଇବା ସହ ଉଭୟଙ୍କ ମଧ୍ୟରେ ମିଳାମିଶା ମଧ୍ୟ ଭଲ ଥିଲା। ତେବେ ମାମାର ପରିବାର ଲୋକେ ଏହାକୁ ନାପସନ୍ଦ କରିବା ସହ ତାହାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଏପରିକି ମାମାର ପରିବାର ଲୋକେ ବିଶ୍ୱଜିତ୍କୁ ରାସ୍ତାରୁ ହଟାଇବା ପାଇଁ ପାନେ ଦେବାକୁ ଯୋଜନା କରିଥିଲେ।
ଗତ ୨୩ ତାରିଖ ବିଳମ୍ବିତ ରାତିରେ ସେମାନେ ମାମା ମୋବାଇଲ୍ ଫୋନ୍ ମାଧ୍ୟମରେ ବିଶ୍ୱଜିତ୍କୁ ସ୍ଥାନୀୟ କୃଷ୍ଣେଶ୍ୱର ଦେବଙ୍କ ମନ୍ଦିରକୁ ଡକାଇଥିଲେ। ବିଶ୍ୱଜିତ୍ ଆଗପଛ କିଛି ନଭାବି ସେହି ମନ୍ଦିର ପାଖରେ ତୁରନ୍ତ ପହଞ୍ଚିଥିଲା। ତେବେ ସେ କିଛି ବୁଝିବା ଆଗରୁ ସେଠାରେ ଛକି ରହିଥିବା ମାମାର ବାପା, ମାଆ, ଦାଦା ଏବଂ ଭାଇ ସମେତ ଅନ୍ୟମାନେ ବିଶ୍ୱଜିତ୍କୁ ସେଠାରୁ ଉଠାଇ ନେଇ ଗାଁ ଭିତରେ ଥିବା ଏକ ଖୁଣ୍ଟରେ ବାନ୍ଧି ଧୁମ୍ ପିଟିଥିଲେ। ଏପରିକି ମାମାର ନୃଶଂସ ପରିବାର ବିଶ୍ୱଜିତ୍ର ବାମ ଆଖିକୁ ଲୁହାଛଡ଼ରେ ତାଡ଼ି ରକ୍ତାକ୍ତ ଅବସ୍ଥାରେ ଗାଁ ଦୋଳପଡ଼ିଆରେ ଫିଙ୍ଗି ଦେଇଥିଲେ। ସେ ପିନ୍ଧିଥିବା ୨ ଭରିର ସୁନା ଚେନ୍ ଓ ମୋବାଇଲ୍ ଫୋନ୍ ଛଡ଼ାଇ ନେବା ସହ ଆଉ ଆଗେଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।
ଖବର ପାଇ ସ୍ନେହଲତା ଏହାର ପ୍ରତିବାଦ କରିବାରୁ ମାମାର ପରିବାର ଲୋକେ ତାଙ୍କୁ ମଧ୍ୟ ଘୋଷାଡ଼ି ପିଟିବା ସହ ଜାତିଆଣ ଆକ୍ଷେପ କରିଥିଲେ ବୋଲି ସ୍ନେହଲତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଅପରପକ୍ଷେ, ବିଶ୍ୱଜିତ୍ ଓ ମାମା ମଧ୍ୟରେ ପାରସ୍ପରିକ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ଘଟଣା ପରେ ମାମା ନିଜେ ଆଜି ବିଶ୍ୱଜିତ୍ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ଖବର ଘଟଣାର ରୋଚକ ମୋଡ଼ ଆଣିଥିବା ଆଲୋଚନା ହେଉଛି। ଖୋର୍ଧା ଡିଏସ୍ପି ବିଜୟ କୁମାର ମଲ୍ଲିକ ଘଟଣାର ତଦନ୍ତ ଭାର ନେଇଥିବା ଜଙ୍କିଆ ଥାନା ନିରୀକ୍ଷକ ମୃଣ୍ମୟ ସେନାପତି ସୂଚନା ଦେଇଛନ୍ତି।