ଭିଜିଲାନ୍‌ସ ଜାଲରେ ଏଏସ୍‌ଆଇ

୫ ହଜାର ଟଙ୍କା ଲାଞ୍ଚ ନେଇ ଜେଲ୍‌ ଗଲେ

ବାଲୁଗାଁ : ଷ୍ଟେସନ୍‌ ଡାଏରି କରାଇଦେବା ପାଇଁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବାଲୁଗାଁ ଥାନା ଏଏସ୍‌ଆଇ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ଭୁବନେଶ୍ୱର ଭିଜିଲାନ୍‌ସ ବିଭାଗ ଗିରଫ କରି କୋର୍ଟଚାଲାଣ କରିଛି। କୋର୍ଟରେ ଜାମିନ୍‌ ନାମଞ୍ଜରୁ ହେବାରେ ପ୍ରମୋଦଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗୁରୁବାର ଦିନ ପ୍ରାୟ ୧୧ଟାରେ ଏଏସ୍‌ଆଇ ଶ୍ରୀ ପଟ୍ଟନାୟକ ଲାଞ୍ଚ ନେଉଥିବା ବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍‌ସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ତାଙ୍କଠାରୁ ରସାୟନ ବୋଳା ୫ହଜାର ଟଙ୍କା ଜବତ ହୋଇଛି। ଖବର ପାଇ ଖୋର୍ଧା ଏସ୍‌ପି ଦୀପ୍ତିରଂଜନ ରାୟ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଅନ୍ୟପକ୍ଷେ ଭିଜିଲାନ୍ସ ବିଭାଗ ଏଏସ୍‌ଆଇ ଶ୍ରୀ ପଟ୍ଟନାୟକଙ୍କ ଖୋର୍ଧାସ୍ଥିତ ବାସଭବନ ଏବଂ ସଂପର୍କୀୟଙ୍କ ଘର ଉପରେ ଚଢ଼ଉ କରିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଟାଙ୍ଗୀ ଗୋବିନ୍ଦପୁର ସାହିର ଅନିଲ ବେହେରା ଗତ ମାସ ୨୮ ତାରିଖ ଦିନ ନିଜ ସାଙ୍ଗ ସହ ବାଇକ୍‌ରେ ବାଲୁଗାଁକୁ ଫେରୁଥିବା ବେଳେ କୁମ୍ଭୀରପଡ଼ା ଗ୍ରାମଠାରେ ଏକ କୁକୁର ପଶି ଆସିବାରୁ ତାଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକ୍‌ର ଇନ୍ସ୍ୟୁରାନ୍ସ ଥିବାରୁ ଥାନାରେ ଷ୍ଟେସନ ଡାଏରି କରିବା ଆବଶ୍ୟକ ଥିଲା। ଅନିଲ ଏ ସଂପର୍କରେ ବାଲୁଗାଁ ଥାନା ଏଏସ୍‌ଆଇ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିଥିଲେ।

ମାତ୍ର ଷ୍ଟେସନ୍‌ ଡାଏରି କରିବା ପାଇଁ ଏଏସଆଇ ଶ୍ରୀ ପଟ୍ଟନାୟକ ତାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅନିଲ ଏ ସଂପର୍କରେ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ୱାରସ୍ଥ ହେବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା। ପୂର୍ବ ଯୋଜନା ଅନୁଯାୟୀ, ଆଜି ଡିଏସପି ବେଣୁଗୋପାଳ ଆଚାର୍ଯ୍ୟଙ୍କ ନେତୃତ୍ୱରେ ୭ଜଣ କର୍ମଚାରୀ ବାଲୁଗାଁ ଥାନା ନିକଟରେ ପଇଁତରା ମାରିଥିଲେ। ଦିନ ପ୍ରାୟ ୧୧ଟା ବେଳେ ଅନିଲ ବାଲୁଗାଁ ଥାନାକୁ ଯାଇ ଏଏସ୍‌ଆଇ ଶ୍ରୀ ପଟ୍ଟନାୟକଙ୍କୁ ରସାୟନିକ ଲେପ ବୋଳା ୫ହଜାର ଟଙ୍କା ଦେଇଥିଲେ। ଶ୍ରୀ ପଟ୍ଟନାୟକ ଟଙ୍କାକୁ ନିଜ ପକେଟରେ ରଖିବା ସମୟରେ ଭିଜିଲାନ୍ସର କର୍ମଚାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ପରେ ପରେ ଭିଜିଲାନ୍‌ସ ପକ୍ଷରୁ ତାଙ୍କ ଖୋର୍ଧାସ୍ଥିତ ବାସଭବନ ଓ ସଂପର୍କୀୟଙ୍କ ଘରେ ଚଢ଼ଉ କରାଯାଇଛି।
ସୂଚନାଯୋଗ୍ୟ, ୯ ବର୍ଷ ତଳେ ଏହି ଥାନାର ଜଣେ ଏଏସ୍‌ଆଇ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ି ଜେଲ୍‌ ଯାଇଥିଲେ।

ସମ୍ବନ୍ଧିତ ଖବର