ଟ୍ରକ୍‌କୁ ପଛରୁ ପିଟିଲା ବାଇକ୍‌, ଚାଳକ ମୃତ

ନିରାକାରପୁର : ୧୬ ନମ୍ବର ଜାତୀୟ ରାଜପଥର ବଘେଇପୁଟ ଛକ ନିକଟରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛରୁ ପିଟି ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକଜଣଙ୍କ ହେଲେ, ବାଣପୁର ଥାନା ଅଧୀନ ଗୋପୀନାଥ ପ୍ରସାଦ ଗ୍ରାମର ଧନେଶ୍ୱର ଦଳେଇ। ସେହିପରି ବାଇକ୍‌ ପଛପଟେ ବସିଥିବା ତାଙ୍କ ସହଯୋଗୀ ସ୍ୱାଧୀନ ଜେନା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଖୋର୍ଧା ଜିଳ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଜଙ୍କିଆ ଥାନା ପୁଲିସ ଘଟଣାସ୍ଥଳରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ସଂଧ୍ୟା ହୋଇଯିବାରୁ ଆଜି ବ୍ୟବଚ୍ଛେଦ ହୋଇପାରି ନଥିବା ଜଣାଯାଇଛି। ଆସନ୍ତାକାଲି ଧନେଶ୍ୱରଙ୍କ ପରିବାର ଲୋକ ଆସିବା ପରେ ଶବ ବ୍ୟବଚ୍ଛେଦ ହେବ ବୋଲି ଜଙ୍କିଆ ଥାନା ତଦନ୍ତକାରୀ ଅଫିସର୍‌ ଶ୍ରୀନିବାସ ଦାଶଙ୍କ ସୂତ୍ରରୁ ପ୍ରକାଶ। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ, ଆଜି ପୂର୍ବାହ୍‌ଣ ପ୍ରାୟ ୧୦ଟା ବେଳେ ଧନେଶ୍ୱର ଓ ସ୍ୱାଧୀନ ଏକ ବାଇକ୍‌ରେ ୧୬ ନମ୍ବର ଜାତୀୟ ରାଜପଥରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବଘେଇପୁଟ ଛକ ନିକଟରେ ଅପରପାର୍ଶ୍ୱରୁ ହଠାତ୍‌ ଜଣେ ସାଇକେଲ ଚାଳକ ତାଙ୍କ ଆଗକୁ ପଳାଇ ଆସିଥିଲେ। ସାଇକେଲ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଧନେଶ୍ୱର ରାସ୍ତାର ବାମ ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲେ।

ଟ୍ରାକ୍ଟର୍‌ରୁ ଖସି ଶ୍ରମିକ ମୃତ

ଖୋର୍ଧା : ଜଟଣୀ-ଖୋର୍ଧା ମୁଖ୍ୟ ରାସ୍ତାରେ ଟ୍ରାକ୍ଟର୍‌ରୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ହେଲେ, ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଦକ୍ଷିଣ ନୂଆଗାଁର ସୁଦାମ ବେହେରାଙ୍କ ପୁଅ ଧନେଶ୍ୱର ବେହେରା (୩୦)। ସୂଚନା ଅନୁଯାୟୀ, ଆଜି ଖୋର୍ଧାରୁ ପିପିଲି ଅଭିମୁଖେ ଯାଉଥିବା (ଓଆର୍‌-୦୨-ଏଆର୍‌-୧୬୦୩) ଚିପ୍ସ ବୋଝେଇ ଟ୍ରାକ୍ଟର୍‌ ଡାଲାରେ ଧନେଶ୍ୱର ବସିଥିଲେ। ଟ୍ରାକ୍ଟର୍‌ଟି ଖୋର୍ଧା-ଜଟଣୀ ମୁଖ୍ୟ ରାସ୍ତା କାଲମେଲ୍‌ ସ୍କୁଲ ପାର୍‌ ହେଉଥିବା ବେଳେ ଧନେଶ୍ୱର ଅସାବଧାନତାବଶତଃ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଟାଉନ୍‌ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଟ୍ରାକ୍ଟର୍‌କୁ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର