ଜଙ୍କିଆ:  କିଛି ଦିନ ହେବ ଖୋର୍ଦ୍ଧା  ଜିଲ୍ଲାର ଜଙ୍କିଆ ସମେତ ବିଭିନ୍ନ ଅଞ୍ଚଳର କୁକୁଡ଼ା ଫାର୍ମରେ ଅଚିହ୍ନା ରୋଗ ଗ୍ରାସ କରିଛି। କୁକୁଡ଼ାଗୁଡ଼ିକ ହଜାର ହଜାର ସଂଖ୍ୟାରେ ମରିବାରେ ଲାଗିଛନ୍ତି। ଫଳରେ ଗୋଟିଏ ଗୋଟିଏ ଫାର୍ମ କୁକୁଡ଼ା ଶୂନ୍ୟ ହୋଇଯାଇଛି। ଏହି ଘଟଣା ସଂପର୍କରେ ଖବର ପାଇବା ପରେ ଖୋର୍ଦ୍ଧା ଡେପୁଟି ଡାଇରେକ୍ଟର ମାନସ କୁମାର ଚାନ୍ଦଙ୍କ ସମେତ ଅନ୍ୟ ପଶୁ ଚିକିତ୍ସକ ଆସି ଜଙ୍କିଆରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୋପାଳ ପଠାଇଥିଲେ।

Advertisment

ରିପୋର୍ଟରୁ  ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହେବା ପରେ ଆଜି ଅତିରିକ୍ତ ପ୍ରାଣୀ ନିର୍ଦ୍ଦେଶକ ମିହିର ନାୟକ, କଟକ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ରବି ନାରାୟଣ ପଟ୍ଟନାୟକ, ଡେପୁଟି ଡାଇରେକ୍ଟର ମାନସ କୁମାର ଚାନ୍ଦ, କଟକ ତିଗିରିଆ  ପ୍ରାଣୀ ଚିକିତ୍ସକ ସତ୍ୟବ୍ରତ ଦାସ, ବାଲିପାଟଣା ପ୍ରାଣୀ ଚିକିତ୍ସକ ପ୍ରିତମ ପ୍ରିତିମାନ ପଣ୍ଡା ଓ କନ୍ଧମାଳ,ଟାଙ୍ଗୀ,ସିକୋ, ବେଗୁନିଆ, ଆଠଗଡ ଆଦି ପ୍ରାଣୀ ଚିକିତ୍ସକଙ୍କ ସମେତ ପ୍ରାୟ ୫୦ ରୁ ଉର୍ଦ୍ଧ କର୍ମଚାରୀ ଜଂକିଆରେ ମୁଣ୍ଡାଆମ୍ବ ଅଂଚଳରେ ଥିବା ଏକ କୁକୁଡ଼ା ଫାର୍ମ ରେ ପହଞ୍ଚି ୪୫୦୭ କୁକୁଡ଼ା ମାରି ଥିବାବେଳେ  ରଖାଯାଇଥିବା ୧୬ଶହ କେଜି  କୁକୁଡ଼ା ଦାନାକୁ ନଷ୍ଟ କରିଥିଲେ। ମଲା କୁକୁଡ଼ା ଓ ଦାନାକୁ ଜେସିବିରେ ଏକ ଗାତ ଖୋଳି ପୋତ ଯାଇଥିବା ଜଣାପଡିଛି।

ପ୍ରକାଶ ଥାଉ କି ଗତ କିଛି ଦିନ ହେବ ଖୋର୍ଦ୍ଧାର ଜଂକିଆ ସମେତ ଏହାର ଆଖପାଖ ଅଂଚଳରେ ଦୃତ ଗତିରେ କୁକୁଡ଼ା ମଡ଼କ ଘଟଣା ବିଭିନ୍ନ ଗଣମାଧ୍ୟମର ଶୀର୍ଷ ମଣ୍ଡନ କରିଥିଲା। କିଛି କିଛି ଫାର୍ମରେ  ବହୁ ସଂଖ୍ୟାରେ କୁକୁଡ଼ା ମୃତ୍ୟୁ ବରଣ କରିବା ପରେ ମାଲିକମାନେ ଆଉ କୁକୁଡ଼ା ପକାଇ ନଥିଲେ। କିଛି କିଛି ଫାର୍ମ କୁକୁଡ଼ା ଶୂନ୍ୟ ହୋଇଯାଇଥିଲା। ପ୍ରଥମେ କୁକୁଡ଼ା ଗୁଡ଼ିକ ଘୁମାଇଁ ଘୁମାଇଁ ମରିଯିବା ଘଟଣା ସମସ୍ତଙ୍କୁ ସନ୍ଦେହ ଘେରରେ ରଖିଥିଲା।

ନମୁନା  ରିପୋର୍ଟ ଆଧାରରେ  ଆଜି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ରବିନାରାୟଣ ପଟ୍ଟନାୟକ ବାର୍ଡ ଫ୍ଲୁ ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ଏହି ପ୍ରାଣୀ ଚିକିତ୍ସକ ତଥା କୁକୁଡ଼ା ମରା ଅଭିଯାନର କର୍ମକର୍ତ୍ତା ଜଂକିଆ ପଂଚାୟତ କାର୍ଯ୍ୟାଳୟରେ ରହିଛନ୍ତି। ଆସନ୍ତାକାଲି ଅନ୍ୟ ରୋଗ ବ୍ୟାପିଥିବା କୁକୁଡ଼ା ଫାର୍ମ ଯାଇ କୁକୁଡ଼ାମରା କାର୍ଯ୍ୟ କରିବେ ବୋଲି ଜଣାପଡିଛି।