ଜୋରରୁ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ଖୋର୍ଧା :ଖୋର୍ଧା ସଦର ଥାନା ଅନ୍ତର୍ଗତ ବାଜପୁର ଗ୍ରାମର ବଡ଼ପୋଖରୀ ନିକଟରେ ଥିବା ଏକ ଜୋରରୁ ଆଜି ଜଣେ ବ୍ୟକ୍ତିର ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତିର ନାମ ରବୀନ୍ଦ୍ର ସେଠୀ ଓରଫ ଗୁଣ୍ଡୁଚି ସେଠୀ (୫୫) ଓ ତାଙ୍କ ଘର ବାଜପୁରରେ ବୋଲି ଜଣାପଡ଼ିଛି। ମୃତ ବ୍ୟକ୍ତିର ପୁଅ ଅନନ୍ତ ସେଠୀ ସଦର ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ରବୀନ୍ଦ୍ର ଗତକାଲି ସନ୍ଧ୍ୟା ସମୟରେ ଘରୁ ବାହାରକୁ ଯାଉଛି ବୋଲି କହି ଘରୁ ଯାଇଥିଲା। ରାତିରେ ସେ ଘରକୁ ଫେରି ନଥିଲା। ରବୀନ୍ଦ୍ରଙ୍କୁ ଘର ଲୋକ ସକାଳେ ଖୋଜା ଖୋଜି କରିଥିଲେ। ତେବେ ବିଲକୁ ଧାନ କାଟିବାକୁ ଯାଉଥିବା କେତେକ ଲୋକ ବଡ଼ପୋଖରୀ ନିକଟରେ ଥିବାଏକ ଜୋରରେ ରବୀନ୍ଦ୍ରର ମୃତ ଦେହ ଭାସୁଥିବାର ଦେଖିବା ପରେ ତାଙ୍କ ଘର ଲୋକଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ। ଏ ସମ୍ପର୍କରେ ପୁଲିସ ଖବର ପାଇ ସାଇଣ୍ଟିଫିକ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲା। ରବୀନ୍ଦ୍ରର ମୁଣ୍ଡ ଓ ମୁହଁରେ ଆଘାତ ଲାଗିଥିବାର ଚିହ୍ନ ରହିଛି ବୋଲି ଥାନା ଅଧିକାରୀ ବିକ୍ରମ ଜେନା ପ୍ରକାଶ କରିଛନ୍ତି। ମୃତ ଦେହକୁ ଉଦ୍ଧାର କରି ପୁଲିସ ପୋଷ୍ଟ ମର୍ଟମ ପାଇଁ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏ ସମ୍ପର୍କରେ ପୁଲିସ ୧୯୬/୧୭ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର