ଦଧିମାଛଗାଡ଼ିଆ ଗାଁରେ ବୋମା ମାଡ଼

ଖୋର୍ଦ୍ଧା : ଦୁଇ ପରିବାର ମଧ୍ୟରେ ଚାଲିଥିବା ବିବାଦକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆ ଗ୍ରାମରେ ବୋମା ମାଡ଼ ହୋଇଛି। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଘର ଓ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଗୋଟିଏ ପଟେ ଏହି ବିବାଦ ଏକ ସରକାରୀ ଜମିକୁ କେନ୍ଦ୍ର କରି ହୋଇଥିବା କୁହାଯାଉଥିବା ବେଳେ ଏହା ପଛରେ ରାଜନୈତିକ ବିବାଦ ରହିଛି ବୋଲି ଚର୍ଚ୍ଚା ହେଉଛି। ଘଟଣାକୁ କେନ୍ଦ୍ର କରି ଦଧିମାଛଗାଡ଼ିଆରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

ସୂଚନାନୁସାରେ, ଏକ ସରକାରୀ ଜମିକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗିଥିଲା। ଏନେଇ ଉଭୟ ପରିବାର ଖୋର୍ଦ୍ଧା ସଦର ଥାନାରେ ପୂର୍ବରୁ ଲିଖିତ ଅଭିଯୋଗ କରିଥିଲେ। ଗତକାଲି ରାତିରେ ସଦର ଥାନା ପୁଲିସ୍‌ ଉଭୟ ପରିବାରର ବିବାଦ ସମାଧାନ କରିବାକୁ ଉଦ୍ୟମ କରି ଉଭୟ ପକ୍ଷଙ୍କୁ ଥାନାକୁ ଡାକିଥିଲେ। ଏପରିକି କେତେକ ପୁଲିସ୍‌ ଦଧିମାଛଗାଡ଼ିଆରେ ମଧ୍ୟ ପହଞ୍ଚିଥିଲେ। ଗାଁରେ ପୁଲିସ୍‌ ଥିବା ସମୟରେ କେତେକ ବ୍ୟକ୍ତି ନିର୍ମଳ ଦାସଙ୍କ ଘର ଉପରକୁ ବୋମା ଓ ଟେକାପଥର ମାଡ଼ କରିବା ସହ ଘରେ ପଶି ଦୁଇଜଣଙ୍କୁ ମାଡ଼ ମାରିଥିଲେ। ଏଥିରେ ନିର୍ମଳ ଦାସଙ୍କ ଗୋଟିଏ ବୋଲେରୋ, ଗୋଟିଏ ମାରୁତି ୮୦୦ କାର୍, ଘରର ଝରକା, କବାଟ କ୍ଷତିଗ୍ରସ୍ତ ହେବା ସହ ନିର୍ମଳଙ୍କ ଦାଦା ଓ ସମ୍ପର୍କୀୟ ଭାଇ ଆହତ ହୋଇଥିଲେ। ଅପରପକ୍ଷରେ କୈଳାସ ସାମନ୍ତରାୟଙ୍କ ପକ୍ଷରୁ ମଧ୍ୟ ନିର୍ମଳ ଦାସଙ୍କ ସମ୍ପର୍କୀୟ ବିଶ୍ବାଳ ପରିବାର ବିରୋଧରେ ଅନୁରୂପ ମାରଧର କରିବା ଓ ତାଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିବା ନେଇ ଏତଲା ଦିଆଯାଇଛି। ଗୋଟିଏ ପଟେ ଗାଁର ଏକ ସରକାରୀ ଜମିକୁ ଦଖଲକୁ ନେବା ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଚାଲିଥିବା କୁହାଯାଉଥିବା ବେଳେ ନିର୍ମଳ ଦାସ ବିଜେଡି ଛାଡ଼ି ବିଜେପି ପାଇଁ କାମ କରୁଥିବାରୁ ଏହି ଆକ୍ରମଣ ହୋଇଥିବା ଚର୍ଚ୍ଚା ହେଉଛି। ଏନେଇ ସଦର ଥାନା ସହ ଯୋଗାଯୋଗ କରିବାରେ ପୁଲିସ୍‌ ଉଭୟ ପକ୍ଷର ମାମଲା ଗ୍ରହଣ କରିଥିବା ଓ ପରିସ୍ଥିତି ଉପରେ ସତର୍କ ନଜର ରଖିଥିବା ଥାନା ଅଧିକାରୀ ବିକ୍ରମ କେଶରୀ ଜେନା କହିଛନ୍ତି। ତେବେ ନିର୍ବାଚନ ପୂର୍ବରୁ ଏଭଳି ବିବାଦ ଗାଁର ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିଛି।

ସମ୍ବନ୍ଧିତ ଖବର