ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଗାଡ଼ି ଉପରକୁ ବୋମା ମାଡ଼

ଖୋର୍ଧା : ସୋମବାର ରାତିରେ ଖୋର୍ଧା ଜିଲ୍ଲା ବେଗୁନିଆ ମିନି ଷ୍ଟାଡ଼ିୟମ ନିକଟରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି। ଏଥିରେ ଋଷଭଙ୍କ ଗାଡ଼ି ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ଋଷଭ କିମ୍ବା ତାଙ୍କର ଅନ୍ୟ ବନ୍ଧୁଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ। ଏହି ଘଟଣାକୁ ନେଇ ବେଗୁନିଆରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ଆଜି ରାତି ପ୍ରାୟ ସାଢେ ନଅଟାରେ ବୋଲଗଡ଼ ବ୍ଳକ ଗୋପାଳପୁର ପଞ୍ଚାୟତ ଅନତାପଲ୍ଲୀ ଆମ କ୍ଳବର ଏକ କାର୍ଯ୍ୟକ୍ରମ ସାରି ତାଙ୍କ କାରରେ ଭୁବନେଶ୍ବର ଫେରୁଥିଲେ। ଏହି ସମୟରେ ଏକ ବୋଲୋରୋ ଗାଡ଼ି ତାଙ୍କ କାରକୁ ଅତିକ୍ରମ କରି ସାଇଡ଼ ଦେଇ ନଥିଲା। କାରଟି ବେଗୁନିଆ ମିନି ଷ୍ଟାଡ଼ିୟମ ନିକଟରେ ପହଞ୍ଚିଲା ବେଳକୁ ପଛରୁ ଦୁଇଟି ବାଇକ୍‌ରେ କେତେକ ଦୁର୍ବୃତ୍ତ ଆସି ତାଙ୍କ ଗାଡ଼ି ଉପରକୁ ଲାଗ୍‌ ଲାଗ୍‌ ୨ଟି ବୋମା ମାଡ଼ କରିଥିଲେ। ଏହି ସମୟରେ ଋଷଭଙ୍କ ଗାଡ଼ି ସେଠାରେ ଅଟକିଯିବାରୁ ଆଗରେ ଯାଉଥିବା ବେଲୋରୋ ଗାଡ଼ିରୁ ପ୍ରାୟ ୮/୧୦ ଜଣ ଦୁର୍ବୃତ୍ତ ବାହାରି ଠେଙ୍ଗା ବାଡ଼ିରେ ଋଷଭଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ। ଋଷଭ ଗାଡ଼ି ଭିତରୁ ବାହାରକୁ ଆସିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏହି ଆକ୍ରମଣରେ ସେ କିମ୍ବା ତାଙ୍କ ଗାଡ଼ିରେ ଥିବା କେହି ଆହତ ହୋଇନାହାନ୍ତି ବୋଲି ଋଷଭ କହିଛନ୍ତି। ତେବେ ଗାଡ଼ିର ଆଗ ଓ ପଛ କାଚ ଭାଙ୍ଗିଯାଇଥିବା ଜଣାପଡ଼ିଛି। ପରେ ଋଷଭ ବେଗୁନିଆ ଥାନାକୁ ଏ ସମ୍ପର୍କରେ ଖବର ଦେଇଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ବେଳକୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିନଥିଲା।

ସମ୍ବନ୍ଧିତ ଖବର