ଖୋର୍ଦ୍ଧା : ଖୋର୍ଦ୍ଧା ଓ ଏହାର ଆଖପାଖ ଅଂଚଳ ବ୍ରାଉନ୍ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି । ଆଜି ଖୋର୍ଦ୍ଧା ଟାଉନ୍ ପୁଲିସ ପ୍ରାୟ ୭୦ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରିଛି । ଏହା ସହିତ ଗତ ୧୦ ଦିନ ମଧ୍ୟରେ ୨ଟି ଘଟଣାରେ ଖୋର୍ଦ୍ଧା ସହରରୁ ପ୍ରାୟ ୧ କିଲୋଗ୍ରାମ ବ୍ରାଉନ୍ସୁଗାର ଯାହାର ଆନୁମାନିକ ବଜାର ମୂଲ୍ୟ ୧ କୋଟି ଟଙ୍କା ହେବ ଧରାପଡ଼ିଛି । ତେବେ ଏଯାଏଁ ଏହି ବ୍ରାଉନ୍ ସୁଗାର ଖୋର୍ଦ୍ଧାରେ କିଏ କିଣୁଛି, କେଉଁଠିକୁ ଯାଉଛି ତାହା ରହସ୍ୟ ଘେରରେ ରହିଛି ।

Advertisment

ଗତକାଲି ଅପରାହ୍ଣରେ ବିପୁଳ ପରିମାଣରେ ବ୍ରାଉନ୍ ସୁଗାର ଚାଲାଣ ହେଉଥିବା ସୂଚନା ଖୋର୍ଦ୍ଧା ପୁଲିସ ଗୁଇନ୍ଦାସୂତ୍ରରୁ ପାଇଥିଲା । ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏସଡିିପିଓ ସୁଶୀଲ ମିଶ୍ରଙ୍କ ନେତୃତ୍ୱରେ ଖୋର୍ଦ୍ଧା ଟାଉନ୍ ଥାନା ଆଇଆଇସି ଉମାଶଙ୍କର ସିଂହ ଓ ଅନ୍ୟ ପୁଲିସ ଅଧିକାରୀ ଏନେଇ ଯୋଜନା ପ୍ରସ୍ତୁତ କରିଥିଲେ । ଖୋର୍ଦ୍ଧା ଉପକଣ୍ଠ ରିଲାଏନ୍ସ ପେଟ୍ରୋଲ୍ ପମ୍ପ ନିକଟରେ କିଛି ସାଧା ପୋଷାକ ଓ ଅନ୍ୟମାନେ ପୁଲିସ ପୋଷାକରେ ଗାଡ଼ି ଯାଂଚ କରିବା ବାହାନାରେ ବ୍ରାଉନ୍ ସୁଗାର ଆଣୁଥିବା କାର୍ଟିକୁ ଅଟକାଇଥିଲେ । ଯାଂଚରେ ସେମାନେ ଏକ  ବ୍ୟାଗ୍ରେ ବ୍ରାଉନ୍ ସୁଗାର ନେଉଥିବା ଜଣାପଡ଼ିଥିଲା ।

publive-image

ଆଜି ଏନେଇ ଖୋର୍ଦ୍ଧା ଗ୍ରାମାଂଚଳ ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ ଖଲିକୋଟ କେଶପୁର ରେଳଷ୍ଟେସନ ନିକଟବର୍ତୀ ବଜାର ସାହିର ସଂଗ୍ରାମ ପଣ୍ଡା(୨୪), ଖଲିକୋଟ ନିକଟବର୍ତୀ ରମ୍ଭା ପାନ୍ଥନିବାସ ରୋଡର ଅମିତ କୁମାର ସାହୁ (୨୭) ଓ ଖୋର୍ଦ୍ଧା ଭାଲିଆବାଡ଼ିର ବୀରେନ୍ଦ୍ର କୁମାର ସାହୁ ଓରଫ ନନ୍ଦୁ (୨୫)ଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୬୫୪ ଗ୍ରାମ ବ୍ରାଉନ୍ ସୁଗାର, ୬ଟି ମୋବାଇଲ୍ ଫୋନ୍, ୯୫ହଜାର ଟଙ୍କା ନଗଦ, ଏକ ଇକୋସ୍ପୋର୍ଟସ କାର (ଓଡି୦୨ଏକ୍ସ ୯୯୦୯) ଜବତ କରାଯାଇଛି । ଆରକ୍ଷୀ ଅଧିକ୍ଷକ ଶ୍ରୀ ଦୋରା କହିଛନ୍ତି ଯେ ସେମାନେ ବାଲେଶ୍ୱରର ସୋରରୁ ଏହି ବ୍ରାଉନସୁଗାର ନେଇ ଖୋର୍ଦ୍ଧା ଆସୁଥିଲେ । ଖୋର୍ଦ୍ଧାରେ ପୂର୍ବରୁ ସ୍ଥିର ହୋଇଥିବା ବେପାରୀଙ୍କୁ ଦେବାକୁ ଯୋଜନା ରହିଥିଲା । ତେବେ କାହାକୁ ଦେବାକୁ ଆଣୁଥିଲେ, ଏହା ପ୍ରଥମ ଥର ପାଇଁ ଆଣୁଥିଲେ ନା ପୂର୍ବରୁ ଏଭଳି ଯୋଗାଇଛନ୍ତି ଏନେଇ ତଦନ୍ତରେ କିଛି ଜଣାପଡ଼ିଛି କି ପ୍ରଶ୍ନରେ ଏସପି କହିଥିଲେ ଯେ ତଦନ୍ତ ଜାରି ରହିଛି । ଏଣୁ ଏବେ କିଛି କୁହାଯାଇପାରିବ ନାହିଁ ।

ଫେବ୍ରୁଆରୀ ୨୨ ତାରିଖରେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ଉପକଣ୍ଠ ଲୋକେଶ୍ୱରପୁର ଠାରେ ଚଢ଼ଉ କରି ୩୨୦ ଗ୍ରାମ ବ୍ରାଉନ୍ ସୁଗାର (ଆନୁମାନିକ ବଜାର ମୂଲ୍ୟ ୩୨ଲକ୍ଷ ଟଙ୍କା ) ଓ ୯ଳକ୍ଷ ଟଙ୍କା ଜବତ କରିବା ସହ ଜଣକୁ ଗିରଫ କରିଥିଲା । ତେବେ ଏହି ଘଟଣାରେ ମଧ୍ୟ ଅଭିଯୁକ୍ତ ବ୍ରାଉନ୍ସୁଗାର ବାଲେଶ୍ୱରରୁ ଆଣିଥିବା ସ୍ୱୀକାର କରିଥିଲେ ମଧ୍ୟ ଖୋର୍ଦ୍ଧାରେ କାହାକୁ ଓ କେଉଁକେଉଁ ସ୍ଥାନକୁ ଚାଲାଣ କରୁଥିଲା ସେନେଇ ଅବକାରୀ ବିଭାଗ ଏଯାଏଁ ଜାଣିପାରିନାହିଁ ।

ଯଦି ୧୦ ଦିନ ବ୍ୟବଧାନ ମଧ୍ୟରେ ଖୋର୍ଦ୍ଧା ସହରକୁ ଆସିଥିବା ୧ କିଲୋଗ୍ରାମ ବ୍ରାଉନ୍ ସୁଗାର ଧରାପଡ଼ିଛି ତେବେ ଧରାପଡ଼ିନଥିବା ବ୍ରାଉନ୍ସୁଗାରର ପରିମାଣ କେତେ ହେବ ତାହା ଅନୁମାନ କରିବା କଥା । ଖୋର୍ଦ୍ଧା ସହରରେ କ୍ରମାଗତ ଭାବେ ଯୁବପିଢ଼ି ଏଭଳି ମାରାତ୍ମକ ନିଶାର ଶିକାର ହେଉଥିବା ବେଳେ ଖୋର୍ଦ୍ଧା ଓ ଆଖପାଖ ଅଂଚଳରୁ ଧରାପଡ଼ିଥିବା ଅଧିକାଂଶ ଅପରାଧି ବ୍ରାଉନ୍ ସୁଗାର ନିଶାଡ଼ି ଅଟନ୍ତି । ୨୦୨୦ ଜୁନ୍ ୬ ତାରିଖରେ ଖୋର୍ଦ୍ଧା ଜେଲ୍ରୁ ବ୍ରାଉନ୍ ସୁଗାର କାରବାର ହେଉଥିବା ଭିଡିଓ ଭାଇରାଲ୍ ହୋଇଥିଲା । ଏହି ଘଟଣାରେ ପୁଲିସ ତଦନ୍ତ କରି ବ୍ରାଉନ୍ ସୁଗାର କିଭଳି ଜେଲ୍ ଭିତରକୁ ପଶୁଛି କୌଣସି ଟେର୍ ପାଇପାରିନଥିଲା । ତେବେ ଅପରାଧି ଜେଲରେ ଥାଇ ମଧ୍ୟ ଅଂଚଳରେ ଚାଲୁଥିବା ବ୍ରାଉନ୍ ସୁଗାର କାରବାରକୁ ନିୟନ୍ତ୍ରଣ କରୁଛନ୍ତି ଏହା ଜଣାପଡ଼ିଥିଲା ।