ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ, କାରଖାନାରେ କାମ କରୁଥିବା ଶ୍ରମିକଙ୍କ କର୍ମକ୍ଷେତ୍ରରେ ଆନୁସଙ୍ଗିକ ସୁବିଧା ଆଦି ୧୦ ଦଫା ସମସ୍ୟାର ସମାଧାନ ଦାବିରେ ଆଜି ସିଆଇଟିୟୁ (ସିଟୁ) ପକ୍ଷରୁ ଏକ ବିକ୍ଷୋଭ ରାଲିର ଆୟୋଜନ କରାଯାଇଥିଲା। ଆଜି ଅପରାହ୍ନ ୨.୩୦ ମିନିଟରେ ୬ଶହରୁ ଉର୍ଦ୍ଧ୍ବ ସିଟୁର କର୍ମକର୍ତା, ଶ୍ରମିକ, ଆଶାକର୍ମୀ ଓ ପାଚିକା ସଂଘର ସଦସ୍ୟ ଓ କର୍ମକର୍ତାମାନେ ହାତରେ ବ୍ୟାନର, ପ୍ଲାକାର୍ଡ ଧରି ଏକ ବିଶାଳ ରାଲିରେ ନୂଆ ବସଷ୍ଟାଣ୍ଡ ଠାରୁ ବାହାରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ସିଟୁର ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ରାଉତରାୟ ଏହି ସଭାର ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ପୁଷ୍ପା ଦାଶ, ଅନନ୍ତ ମଙ୍ଗରାଜ, ଶୌଳେଶ ବଳିଆରସିଂହ, ଗିରିଶ ଚନ୍ଦ୍ର ମହାରଣା, ପ୍ରଦୀପ୍ତ ନାୟକ, ସାରଙ୍ଗଧର ବେହେରା, କିଶୋର ଚନ୍ଦ୍ର ପରମଗୁରୁ ପ୍ରମୁଖ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତିକୁ କଠୋର ସମାଲୋଚନା କରିଥିଲେ।
ଏହାପରେ ୭ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଶ୍ରମିକଙ୍କ ୧୦ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଦେଇଥିଲେ। ଶ୍ରମିକ ଆଇନ ଖିଲାପ କରି କର୍ମକ୍ଷେତ୍ରରେ ସର୍ବନିମ୍ନ ଆନୁସଙ୍ଗିକ ସୁବିଧା ପ୍ରଦାନ କରୁନଥିବା ଶିଳ୍ପାନୁଷ୍ଠାନ ବିରୋଧରେ ପଦକ୍ଷେପ ନେବା, ଆଶାକର୍ମୀ-ପାଚିକାଙ୍କ ପାରିଶ୍ରମିକ ମାସର ୧୦ ତାରିଖ ମଧ୍ୟରେ ପ୍ରଦାନ କରିବା ଆଦି ନେଇ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଫୋନରେ ଆଲୋଚନା କରିବା ସହ ଅନ୍ୟ ଦାବି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ସିଟୁ ଖୋର୍ଦ୍ଧା କମିଟିର ସମ୍ପାଦକ ଶୈଳେଶ ବଳିଆରସିଂହ ସୂଚନା ଦେଇଛନ୍ତି।