ବାଲିପାଟଣା  : ବାଲିପାଟଣାଥାନା ଅଭୟମୁଖି ଗ୍ରାମରେ ଭାଇ ବୋହୂଙ୍କୁ କଟୁରିରେ ହାଣିଥିବା ଗୋବିନ୍ଦକୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି | ଅଭିଯୁକ୍ତ ଦେଢ଼ଶୁରଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Advertisment

ପ୍ରକାଶ ଥାଉ କି, ଅଭୟମୁଖି ଶାସନ ଗ୍ରାମର ଗୋବିନ୍ଦ ଏବଂ ତାଙ୍କ ସାନ ଭାଇ ନନ୍ଦ କିଶୋରଙ୍କ ମଧ୍ୟରେ ପୈତୃକ ସମ୍ପତିକୁ ନେଇ ବିବାଦ ଉପୁଜିଥିଲା । ସାନ ଭାଇ ଥାନାରେ ଅଭିଯୋଗ କରିବା ପରେ ଭଦ୍ର ଲୋକଙ୍କ ଜରିଆରେ ଘଟଣା ସମାଧାନ ହୋଇଥିଲା  ହେଲେ ବଡ଼ ଭାଇ ଭଦ୍ରଲୋକଙ୍କ ନିଷ୍ପତ୍ତି ନ ମାନି ବିବାଦୀୟ ସମ୍ପତ୍ତି ରେ ଘର ନିର୍ମାଣ କରିଥିଲେ । ଯାହାକୁ ନେଇ ପୁଣି ବିବାଦ ଉପୁଜିଥିଲା । ଗତକାଲି ସାନଭାଇ ଦୋକାନରେ ଥିବା ସମୟରେ ତାଙ୍କ ପତ୍ନୀ ମାନସୀଙ୍କୁ କଟୁରିରେ ହାଣି ଲହୁଲୁହାଣ କରି ଗୋବିନ୍ଦ ଫେରାର ହୋଇଯାଇଥିଲା । ଘଟଣା ସ୍ଥଳରୁ ପୁଲିସ ରକ୍ତ ଭିଜା କଟୁରି,ବାଇକ ଜବତ କରିବା ସହିତ ସନ୍ଧ୍ୟାସୁଦ୍ଧା ତାକୁ ଗିରଫ କରିଥିଲା । ମାନସୀଙ୍କ ଝିଅ ପ୍ରିତୀମୟୀଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଅଭିଯୁକ୍ତ ଦେଢ଼ଶୁରଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି । ପୁଲିସ ତରଫରୁ ଘଟଣା ତଦନ୍ତ ଜାରିରହିଛି | ଅନ୍ୟ ପକ୍ଷରେ ମାନସୀଙ୍କୁ ଗୁରତର ଅବସ୍ଥାରେ କାଲି କ୍ୟାପିଟାଲ ହସ୍ପିଟାଲରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ମୁଣ୍ଡ ,ହାତ ଏବଂ ଆଙ୍ଗୁଠିରେ ଅସ୍ତ୍ରୋପଚାର ହୋଇଥିବା ଜଣାପଡିଛି । ଏବେ ବି କଟକ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।