ବାଲିଅନ୍ତାରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ସଂଖ୍ୟା ୨୩ ଛୁଇଁଲା

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅଧୀନ ପ୍ରତାପରୁଦ୍ରପୁର ପଞ୍ଚାୟତରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଛି । ୪୫ ବର୍ଷୀୟ ଏହି ଯୁବକ ଜଣକ କିଛି ଦିନ ପୂର୍ବରୁ ଜ୍ବରରେ ପୀଡ଼ିତ ହୋଇ ସୁସ୍ଥ ହୋଇଯାଇଥିଲେ । ହେଲେ ଗତକାଲି ରାତିରେ ସେ ହଠାତ ଖୁବ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକ ତାଙ୍କୁ ଚିକିତ୍ସା ଲାଗି କୋଭିଡ଼ ହସ୍ପିଟାଲରେ ଭର୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ବିଏମସି ସ୍ବର୍ଗରଥ ପହଞ୍ଚି ସତ୍କାର ପାଇଁ ସତ୍ୟନଗର ଶ୍ମଶାନକୁ ନେଇଯାଇଥିଲା । ପୂର୍ବରୁ ଏହି ପଞ୍ଚାୟତରେ ଅନ୍ୟ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା । ଦୁଇମାସ ଭିତରେ ଉକ୍ତ ପଞ୍ଚାୟତରେ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି । ଆଜିର କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ମିଶାଇ ପ୍ରତାପରୁଦ୍ରପୁର ପଞ୍ଚାୟତରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବାଲିଅନ୍ତା ବ୍ଲକରେ ମୋଟ ୨୩ ଜଣଙ୍କ ମୃତ୍ୟୁବରଣ କରିଛନ୍ତି ।  ଅନ୍ୟପକ୍ଷରେ ବ୍ଲକ ଅଞ୍ଚଳରେ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ଶତାଧିକ ସଂକ୍ରମିତ ଗୃହ ସଂଗରୋଧରେ ଚିକିତ୍ସାଧୀନ ଥିବା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର