ଖୋର୍ଦ୍ଧା : ଖୋର୍ଦ୍ଧା ସହରର ପ୍ରାୟ ସମସ୍ତ ପ୍ରମୁଖ ସଡ଼କର ଅବସ୍ଥା କହିଲେ ନସରେ । ଏନେଇ ଅନେକ ସମୟରେ ଖୋର୍ଦ୍ଧାର ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି, କିନ୍ତୁ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ବିପର୍ଯ୍ୟସ୍ତ ରାସ୍ତାଘାଟ ନେଇ ଲିଖିତ ଚେତାବନୀ ଦିଆଯାଇଛି । ଆଗାମୀ ୧୦ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଧାରଣା ସହ ଆନେ୍ଦାଳନକୁ ତୀବ୍ର କରାଯିବ ବୋଲି କୁହାଯାଇଛି ।
ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଖୋର୍ଦ୍ଧା ନଗର ଯୁବ କଂଗ୍ରେସ ପକ୍ଷରୁ ଖୋର୍ଦ୍ଧା ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ନେଇ ପୂର୍ତ ବିଭାଗ ନିର୍ବାହ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକାତ୍ମକ ଧାରଣା ସହ ତୁରନ୍ତ ସମାଧାନ ପାଇଁ ଦାବିପତ୍ର ଦିଆଯାଇଛି । ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଅମିତ ମହାନ୍ତି କହିଛନ୍ତି ଯେ ବାଟମଙ୍ଗଳା ଠାରୁ ଚଣ୍ଡିଚୁଆ ଛକ, ଜଟଣୀ ବାଇପାସ୍ ଠାରୁ ମୁକୁନ୍ଦପ୍ରସାଦ ତିନିମୁହାଣୀ ଛକ, ଖୋର୍ଦ୍ଧା ମୁଖ୍ୟ ଡାକଘର ଠାରୁ ଗୁରୁଜଙ୍ଗ ଜଗନ୍ନାଥ ମନ୍ଦିର ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି । ସାଧାରଣ ସମୟରେ ଏହି ରାସ୍ତା ଦେଇ ଗାଡ଼ିଚଳାଚଳ କରିବା କଷ୍ଟକର ହେଉଥିବା ବେଳେ ବର୍ଷା ସମୟରେ ଯାତାୟତ ପ୍ରାୟତଃ ଅସମ୍ଭବ ହୋଇପଡ଼ୁଛି ।
ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ବିଶ୍ୱଭୂଷଣ ଛୋଟରାୟ କହିଛନ୍ତି ଯେ ବିପର୍ଯ୍ୟସ୍ତ ରାସ୍ତାଘାଟ ଯୋଗୁଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏହି ସମସ୍ୟା ପ୍ରତି ସଂପୂର୍ଣ୍ଣ ଉଦାସୀନ ରହୁଛି । ଆଜି ଏନେଇ ନିର୍ବାହୀଯନ୍ତ୍ରୀ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଭାବେ ଜଣାଇଦିଆଯାଇଛି ।
ଆଜି ପ୍ରାୟ ୭୦ରୁ ଉଦ୍ଧ୍ୱର୍ କଂଗ୍ରେସ କର୍ମୀ ଓ ଖୋର୍ଦ୍ଧାର ନାଗରିକଙ୍କ ସମ୍ବଳିତ ଏକ ସ୍ମାରକପତ୍ର ଦିଆଯାଇ ଏଥିରେ କୁହାଯାଇଛି ଯେ ଆସନ୍ତା ୧୦ ଦିନ ମଧ୍ୟରେ ରାସ୍ତାଘାଟର ମରାମତି କରାନଗଲେ ଆସନ୍ତା ୩୦ ତାରିଖରେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଛକଠାରେ ରାସ୍ତାରୋକ କରିବା ସହ ପୂର୍ତବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ।
ଏହି ସ୍ମାରକପତ୍ର ପ୍ରଦାନ ଓ ପ୍ରତୀକାତ୍ମକ ଧାରଣାରେ ନଗର କଂଗ୍ରେସ ସଭାପତି ରଂଜିତ ମହାପାତ୍ର, ଆଇନଜୀବୀ ଶିଶିର ପରିଡ଼ା, ପୂର୍ବତନ ଯୁବ କଂଗ୍ରେସ ସଭାପତି ପ୍ଲାବନ ପଟ୍ଟନାୟକ, କୃଷ୍ଣ ନରେନ୍ଦ୍ର, କୁମାର ଶିଳାଦିତ୍ୟ ପଟ୍ଟନାୟକ, ଦ୍ୱାରିକା ମହାନ୍ତି, ହଲିମ୍ ଖାନ୍, ତୁଷାର ହରିଚନ୍ଦନ, ଆଶିଷ ନାୟକ ପ୍ରମୁଖ କର୍ମକର୍ତ୍ତା ଓ ଯୁବ କଂଗ୍ରେସ ନେତା ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/damaged-road.jpg)