ଚିକିତ୍ସା ଖର୍ଚ ତୁଲାଇ ପାରିଲେନି : ରୋଗଗ୍ରସ୍ତ ବାପାକୁ ମାରିଦେଲା ଝିଅ!

ବାଲୁଗାଁ : ଚିକିତ୍ସା ଖର୍ଚ ତୁଲାଇ ନପାରି ଜଣେ ରୋଗଗ୍ରସ୍ତ ବ୍ୟକ୍ତିଙ୍କୁ ତାଙ୍କ ପରିବାରଲୋକେ ମାରି ଦେଇଥିବା ନେଇ ବାଲୁଗାଁ ଥାନାରେ ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଜଣଙ୍କ ହେଲେ, ଗୋପୀନାଥପୁର ନୂଆସାହିର ଦିଲୀପ କୁମାର ମାଲୁ (୫୫)। ବାଲୁଗାଁ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏନେଇ ପୁଲିସ ମୃତ ଦିଲୀପଙ୍କ ସ୍ତ୍ରୀ, ପୁଅ ଓ ଝିଅକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ନୂଆସାହିର ଦିଲୀପ ଦୀର୍ଘ ଦିନ ହେବ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ତାଙ୍କ ଚିକିତ୍ସା ପାଇଁ ଆର୍ଥିକ ସମସ୍ୟା ଦେଖାଦେବାରୁ ଏହାକୁ ନେଇ ଅଧିକାଂଶ ସମୟରେ ପରିବାର ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ଗତ ବୁଧବାର ଅପରାହ୍‌ଣ ପ୍ରାୟ ୫ଟାରେ ଝିଅ ସଂଗୀତା କୌଣସି କାରଣରୁ ରାଗି ଯାଇ ବାପା ଦିଲୀପଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଗ୍ରାମବାସୀ ହସ୍ତକ୍ଷେପ କରି ଏହାର ସମାଧାନ କରିଥିଲେ। ତେବେ ଗୁରୁବାର ସକାଳ ପ୍ରାୟ ୭ଟାରେ ଦିଲୀପଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀମାନେ ଜାଣିବାକୁ ପାଇଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖାଯାଇଥିଲା। ତେଣୁ ତାଙ୍କ ପରିବାରଲୋକେ ତାଙ୍କୁ ହତ୍ୟା କରିଥିବା ସନ୍ଦେହରେ ଗ୍ରାମର କେତେକ ମୁରବୀ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବାଲୁଗାଁ ଥାନା ଆଇଆଇସି ସଂଜୟ କୁମାର ପଟ୍ଟନାୟକ ସଦଳବଳେ ଘଟଣାସ୍ଥଳରୁ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ସମ୍ବନ୍ଧିତ ଖବର