ଖୋର୍ଦ୍ଧା: ନିଖୋଜ ଯୁବକଙ୍କ ମୃତଦେହ ଚୁଆରୁ ଉଦ୍ଧାର ପରେ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ, ଉତ୍ତେଜିତ ଲୋକଙ୍କ ରାସ୍ତାରୋକ-ପୋଡ଼ାଜଳା

ବେଗୁନିଆ: ଚାରି ଦିନ ତଳେ ନିଖୋଜ ଯୁବକଙ୍କ ମୃତଦେହକୁ ପୁଲିସ ରବିବାର ଅପରାହ୍ନରେ ଉଦ୍ଧାର କରିବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଲୋକେ ଜାତୀୟ ରାଜପଥ ଉପରେ ନିଆଁ ଜାଳି ଯାତାୟତ ଅବରୋଧ କରିଛନ୍ତି।

ରିପୋର୍ଟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅଂଚଳରେ ଡିଙ୍ଗର ରାସ୍ତାପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକଙ୍କ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା। ଚୁଆର ଉଦ୍ଧାର କରିବାରେ ଅସୁବିଧା ହେବାରୁ ଅଗ୍ନିଶମ ବିଭାଗକୁ ପୁଲିସ ସୂଚନା ଦେଇଥିଲା। ଶେଷରେ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ସେକ୍‌ ତରିଫ୍‌ଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ ଚୁଆ ନିକଟରୁ ଏକ ବାଇକ୍‌ (ଓଆର୍‌ ୦୨ୟୁ ୨୨୨୫) ମଧ୍ୟ ଉଦ୍ଧାର କରିଛି।

ମୃତକଙ୍କ ସ୍ତ୍ରୀ ରିହାନା ବେଗମ ଥାନାରେ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ସ୍ୱାମୀ ଗତ ବୁଧବାର ଅପରାହ୍ନ ୩ଟାରେ ପଣାଟାଙ୍ଗୀ ସ୍କୁଲ ନିକଟରେ ଖୋଲିଥିବା କୁକୁଡ଼ା ଦେକାନକୁ ଯାଇ ଆଉ ଫେରି ନଥିଲେ। ସେଦିନ ଦୋକାନକୁ ଯିବା ବେଳେ ତରିଫ କଳାରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ। ରାତିରେ ଘରକୁ ନ ଫେରିବା ପରେ ବାରମ୍ବାର ମୋବାଇଲକୁ ଯୋଗାଯୋଗ କରି ମଧ୍ୟ ସେ ବିଫଳ ହୋଇଥିଲେ। ସେହି ଦିନ ଠାରୁ ସେ ସ୍ୱାମୀଙ୍କ ଅପେକ୍ଷାରେ ଥିଲେ ବୋଲି ପୁଲିସ ଆଗରେ କାନ୍ଦିକାନ୍ଦି କହିଛନ୍ତି। ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ବେଗୁନିଆ ପୁଲିସ ଘଟଣାର ତଦନ୍ତ କରୁଛି।

ଅନ୍ୟପଟରେ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳର ଲୋକେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ-୫୭ ଅବରୋଧ କରିଛନ୍ତି। ଫଳରେ ଯାତାୟତ ପ୍ରଭାବିତ ହୋଇଛି। ଉଭୟ ଦିଗରେ ଶତାଧିକ ଯାନବାହାନ ଛିଡ଼ା ରହିଛି। ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର