ନିଆରା ଉଦାହରଣ : ଗାଁ ଶ୍ମଶାନରେ ଦୀପାବଳି ପାଳିଲେ ଡିଙ୍ଗରବାସୀ

ଖୋର୍ଦ୍ଧା: ଛିଣ୍ଡା ମଶିଣା, ଭଙ୍ଗା ହାଣ୍ଡି, ଦରପୋଡ଼ା କାଠ, ଖଣ୍ଡିଆ ଲୁଗା ଓ ବାଉଁଶର ଅସ୍ତବ୍ୟସ୍ତ ଇଲାକା ଗାଁ ମଶାଣି। ସଂଜବେଳେ ସେଇ ବାଟ ଦେଇ ଚାଲିଗଲା ବେଳେ ଡରଲାଗେ। କିନ୍ତୁ ଗାଁର ସମସ୍ତଙ୍କର ବଡ଼ ଆବେଗିକ ସଂପର୍କ ଥାଏ ଏଇ ମଶାଣି ସହିତ। ଜୀବନଯାତ୍ରାର ଅନ୍ତିମ ସୋପାନ ଏଇ ମଣାଣି ଭୂଇଁରେ। ଦିକିଦିକି ଜଳୁଥିବା ଜୁଇଟିଏ ଦେଖିଲେ ଆପେ ହାତ ଯୋଡ଼ିହୋଇଆସେ।

କେଉଁ କେଉଁ ମଶାଣିରେ ସିମେଣ୍ଟର ଚାରିଟା ଖୁଣ୍ଟ ଉପରେ ଛାତଟିଏ ପକାଇ ବର୍ଷାରେ ମୁଣ୍ଡ ଗୁଞ୍ଜିବା ପାଇଁ ବ୍ୟବସ୍ଥା ହୋଇଛି। ଆଉ କେଉଁଠି ମଶାଣିକୁ ସୁନ୍ଦର କରିବା ପାଇଁ ସ୍ଥାନୀୟ ଲୋକେ ଫୁଲଗଛ ଲଗାଉଛନ୍ତି । କିନ୍ତୁ ମଶାଣିରେ ଦୀପାବଳୀ ଉତ୍ସବ ପାଳନର ଏକ ଅନନ୍ୟ ପରମ୍ପରା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଡିଙ୍ଗର ଗ୍ରାମରେ।

ଦୀପାବଳୀରେ ପୟାଶ୍ରାଦ୍ଧ ଓ ପୂର୍ବ ପୁରୁଷଙ୍କୁ ଆବାହନ କରି କାଉଁରିଆ ଜାଳି ବଡ଼ବଡ଼ୁଆଙ୍କୁ ଆଲୁଅ ଦେଖାଇବାର ପରମ୍ପରା ଅନେକ ସ୍ଥାନରେ ଅଛି। ମାତ୍ର ଡଙ୍ଗର ଗ୍ରାମର ଗ୍ରାମବାସୀ ଏହାକୁ ଏକ ନୂଆ ସ୍ତରକୁ ଘେନି ଯାଇଛନ୍ତି । ଗତ ତିନିବର୍ଷ ଧରି ମଶାଣି ପରିସରରେ ବିଭିନ୍ନ ବୃକ୍ଷଲତା ଲଗାଇବାର ଏକ ସୁନ୍ଦର ଉଦ୍ୟମ ଆରମ୍ଭ କରିଥିଲେ ସ୍ଥାନୀୟ ଯୁବକ ବିଶ୍ୱନାଥ ମାର୍ଥା, ବିମ୍ବାଧର ମହାରଣା ଓ ସାଥୀମାନେ। ଏ ବର୍ଷ କିନ୍ତୁ  ଗ୍ରାମବାସୀମାନେ ଏକାଠି ହୋଇ ଦୀପାବଳୀ ସନ୍ଧ୍ୟାରେ ଏହି ଶ୍ମଶାନ ପରିସରରେ ପିତୃପୁରୁଷ ଓ ଦେଶର ସହିଦ ଯବାନମାନଙ୍କ ଉଦ୍ଦେଶ୍ୟରେ ସାମୂହିକ ଦୀପ ଦାନ କରିଥିଲେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇଥିଲେ ସେଠାରେ। ପଣ୍ଡିତ ଦେବେନ୍ଦ୍ର ବିଶୋଇ ବେଦପାଠ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲାବେଳେ ବର୍ଷିଆନ୍‌ ସ୍ୱାଧୀନତା ସଂଗ୍ରାମୀ ମଦନ ମୋହନ ମାର୍ଥା ଏ କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ।

ସମାଜସେବୀ ଲଳିତ ମୋହନ ନାଗଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍‌ ରାଜକିଶୋର ପାଣିଗ୍ରାହୀ, ପ୍ରଧ୍ୟାପକ ରବୀନ୍ଦ୍ରନାଥ ପାଣିଗ୍ରାହୀ ଓ ସ୍ଥାନୀୟ ସରପଞ୍ଚ ଶିବ ପ୍ରସାଦ ଦାଶ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏଥିରେ ଯୋଗଦେଇ ଏଭଳି ମହତ ଉଦ୍ୟମର ଭୁରିଭୁରି ପ୍ରଶଂସା କରିଥିଲେ। କୌଣସି ସରକାରୀ ବା ରାଜନୈତିକ ନେତାଙ୍କ ସାହାଯ୍ୟ ନ ନେଇ ସମ୍ପୂର୍ଣ୍ଣ ନିଜସ୍ୱ ଉଦ୍ୟମରେ ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମଟି ଉଚ୍ଚ ପ୍ରଶଂସିତ ହୋଇଛି।

ସମ୍ବନ୍ଧିତ ଖବର