ବାଜପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଆସୁନାହାନ୍ତି, ରୋଗୀ ସେବା ବ୍ୟାହତ

ଖୋର୍ଧା: ଖୋର୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି ମନୋଭାବ ଓ ଦୂରଦୃଷ୍ଟି ଅଭାବରୁ ଖୋର୍ଧା ବ୍ଲକ ଅନ୍ତର୍ଗତ ବାଜପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ଏବେ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ଡାକ୍ତର ଏଠାକୁ ଆସୁନଥିବାରୁ ବାଧ୍ୟ ହୋଇ ରୋଗୀମାନେ ଖୋର୍ଧା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଭୁବନେଶ୍ୱରକୁ ଯାଇ ଚିକିତ୍ସିତ ହେଉଛନ୍ତି।

ଖୋର୍ଧା ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୭/୮କିଲୋମିଟର ଦୂରରେ ଅବସ୍ଥିତ ବାଜପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଖୋର୍ଧା ଜିଲ୍ଲାର ବାଜପୁର, କୁରାଢ଼ମଲ୍ଲ, କାଇପଦର, ନନ୍ଦପୁର, ତାପଙ୍ଗ, ଧଉଳିମୁହଁ, ବ୍ରଜମୋହନପୁର ପଞ୍ଚାୟତ ସମେତ ପୁରୀ ଜିଲ୍ଲାର ବଡ଼ସାନପୁଟ ଓ ଅଁଳାଯୋଡ଼ି ପଞ୍ଚାୟତର ପ୍ରାୟ ୨୦ହଜାର ଲୋକ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାଆନ୍ତି। ପ୍ରତିଦିନ ପ୍ରାୟ ୨୦୦ରୁ ୨୫୦ ରୋଗୀ ଏଠାକୁ ଚିକିତ୍ସା ସୁବିଧା ପାଇଁ ଆସିଥାଆନ୍ତି। ମାତ୍ର ଏଠାରେ ଅଧିକାଂଶ ସମୟରେ ଡାକ୍ତର ରହୁନଥିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ୩/୪ମାସ ଡାକ୍ତର ପଦ ଖାଲି ପଡ଼ିବା ପରେ ଗତ ମାସ ୧୪ ତାରିଖ ଦିନ ଡାକ୍ତର ଆଶୀର୍ବାଦ ପଣ୍ଡା ଏଠାରେ ନୂତନ ଭାବେ ଯୋଗ ଦେଇଥିଲେ। ଡାକ୍ତର ନିଯୁକ୍ତି ପରେ ରୋଗୀ ସେବା ବ୍ୟବସ୍ଥା ସୁଚାରୁରୂପେ ଚାଲିବ ବୋଲି ବାଜପୁର ଅଞ୍ଚଳବାସୀ ଆଶା କରୁଥିଲେ। ମାତ୍ର ନୂତନ ଡାକ୍ତର ନିଯୁକ୍ତ ହେବାର ମାସକ ମଧ୍ୟରେ ସେ ଏଠାକୁ ପ୍ରାୟ ୨/୩ ଦିନ ଆସିଛନ୍ତି ବୋଲି ଅଭିଯୋଗ ହୋଇଛି। ତାଙ୍କ ଅନୁପସ୍ଥିତରେ ଏକମାତ୍ର ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟ ରୋଗୀମାନଙ୍କୁ ଚିକିତ୍ସା କରୁଛନ୍ତି। ତେବେ ସଦର ମହକୁମାଠାରୁ ମାତ୍ର ୭/୮କିଲୋମିଟର ଦୂରରେ ଅବସ୍ଥିତ ବାଜପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ନିୟମିତ ନ ଆସିବା ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ସମସ୍ୟାର ସମାଧାନ କରାଗଲେ ବାଧ୍ୟ ହୋଇ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର