ସମ୍ପତ୍ତି ପାଇଁ ହତ୍ୟାକାଣ୍ଡ : ସାନ ଭାଇ ବୋମାମାଡ଼ରେ ବଡ଼ ମୃତ

ଡେଲାଙ୍ଗ/ପିପିଲି/ଜଟଣୀ : ସଂପତ୍ତି ପାଇଁ ଭାଇ ହେଲା ଭଗାରୀ। ବୋମା ଫିଙ୍ଗି ବଡ଼ ଭାଇର ଜୀବନ ନେଲା ସାନଭାଇ। ଏଭଳି ଆଜି ଅଭାବନୀୟ ଘଟଣା ଘଟିଛି ଡେଲାଙ୍ଗ ଥାନା ଅନ୍ତର୍ଗତ ବଡଇଚ୍ଚାପୁର ଗ୍ରାମରେ। ପାରିବାରିକ କଳହ ଓ ସମ୍ପତ୍ତି ପାଇଁ ଏଭଳି ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ମିଳିଥିବା ଖବର ଅନୁଯାୟୀ, ଡେଲାଙ୍ଗ ଥାନା ହରିରାଜପୁର ଫାଣ୍ଡି ଅନ୍ତର୍ଗତ ଗୋଡିପୁଟୁ ମାଟିଆପଡ଼ା ପଞ୍ଚାୟତର ବଡଇଚ୍ଚାପୁର ଗ୍ରାମରେ ଗଙ୍ଗାଧର ସେଠୀ (୬୦), ସାନଭାଇ ପାଣ୍ଡବ ସେଠୀ, ବଂଶୀଧର ସେଠୀ ଏକାଠୀ ରହନ୍ତି। ବଡ଼ଭାଇ ଗଙ୍ଗାଧର ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀ। ଦୀର୍ଘଦିନ ଧରି ଗଙ୍ଗାଧର ଓ ପାଣ୍ଡବଙ୍କ ମଧ୍ୟରେ ପାରିବାରିକ ବିବାଦ ସହ ସମ୍ପତ୍ତି ବିବାଦ ଲାଗି ରହିଥିଲା। ଆଜି ସନ୍ଧ୍ୟାରେ ଦୁଇ ଭାଇଙ୍କ ମଧ୍ୟରେ ଜାଗାବାଡ଼ି ଓ ପାରିବାରିକ କଳହକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହା ପରେ ବଡ଼ ଭାଇ ଗଙ୍ଗାଧର ଗାଳିମନ୍ଦ ସହି ନପାରି ବାହାରକୁ ଚାଲି ଆସିଥିଲେ। ଏହି ସମୟରେ ସାନ ଭାଇ ପାଣ୍ଡବ ଏକ ହାତ ତିଆରି ବୋମା ଗଙ୍ଗାଧରଙ୍କ ଉପରକୁ ପକାଇଥିଲେ। ଏଥିରେ ଗଂଗାଧର ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀ ତୁରନ୍ତ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାସ୍ଥଳରେ ହରିରାଜପୁର ପାଣ୍ଡି ଅଧିକାରୀ ଓ ଡେଲାଙ୍ଗ ଥାନା ଦାୟିତ୍ଵରେ ଥିବା ପିପିଲି ଥାନା ଅଧିକାରୀ ଶରତ ଚନ୍ଦ୍ର ସାହୁ ପହଞ୍ଚି ତଦନ୍ତ କରିବା ସହ ହତ୍ୟା ସମୟରେ ଉପସ୍ଥିତ ଅନ୍ୟତମ ଭାଇ ବଂଶୀଧର ସେଠୀଙ୍କୁ ଅଟକ ରଖି ପଚରା ଉଚୁରା କରିଛନ୍ତି। ସ୍ଥାନୀୟ ପୁଲିସ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ଗଙ୍ଗାଧରଙ୍କ ପୁଅ ସଞ୍ଜୟ ସେଠୀଙ୍କ ଅଭିଯୋଗକୁ ଭିତ୍ତି କରି ଡେଲାଙ୍ଗ ପୁଲିସ୍‌ ମାମଲା ରୁଜୁ କରି ପାଣ୍ଡବକୁ ଖୋଜୁଛି ।

ସମ୍ବନ୍ଧିତ ଖବର