ସୁନ୍ଦରପୁରରେ ହାତୀପଲଙ୍କ ଉପଦ୍ରବ

ଟାଙ୍ଗୀ (ଖୋର୍ଦ୍ଧା) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ୍ ଅଧୀନ ସୁନ୍ଦରପୁର ପଞ୍ଚାୟତର ଉଦୟଗିରି ଅଞ୍ଚଳକୁ ୨୪ଟିକିଆ ହାତୀପଲ ଆସି ବ୍ୟାପକ ଧାନଫସଲ ନଷ୍ଟ କରି ଚାଲିଛନ୍ତି। ଏଥି ସହିତ ସ୍ଥାନୀୟ ଜୀବନ ପ୍ରତି ବିପଦ ଥିବାରୁ ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ସୂଚନା ଥାଉ କି, ପ୍ରତିବର୍ଷ ଏହି ସମୟରେ ଧାନ ଫସଲ ଖାଇବା ପାଇଁ ବିଭିନ୍ନ ଅଞ୍ଚଳରୁ ହାତୀମାନେ ଚାଲି ଆସିଥାନ୍ତି। ଚଳିତ ବର୍ଷ ମଧ୍ୟ ୨୪ଟି ବିଭିନ୍ନ ପ୍ରକାରର ହାତୀ ଉଦୟଗିରି ଅଞ୍ଚଳରେ ପଶି ୫୦ ଏକରରୁ ଅଧିକ ଧାନ ଫସଲ ନଷ୍ଟକରିଥିବା ଅଭିଯୋଗ ହୋଇଛି। ଏପରିକି ଉଦୟଗିରି ଗ୍ରାମରେ ୧୦ଟି ହାତୀ ପଶି ଜଣଙ୍କର ପାଚେରି ଭାଙ୍ଗି କଦଳୀ ଫସଲ ନଷ୍ଟ କରିଛନ୍ତିଷ ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ହାତୀପଲ ଉଦୟଗିରିରେ ୩ ଦିନ ହେଲା ଆଡ଼ା କରି ରହିଥିବା ବେଳେ ଗତକାଲି ନୂଆଗଡ଼ ପଞ୍ଚାୟତର ହରିପୁର ଅଞ୍ଚଳରେ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ତେବେ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ଉଦ୍ୟମ କରୁଥିବା ଜଣାଯାଇଛି। ଅପରପକ୍ଷେ, କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର