ଖୋର୍ଦ୍ଧା : ଆଜି ଗୁରୁଜଙ୍ଗର ୧୬ ନମ୍ବର ୱାର୍ଡରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯିବା ସହ ସେଠାରେ ବେଆଇନ ଘର ନିର୍ମାଣ କରି ରହୁଥିବା ଲୋକଙ୍କୁ ଘର ଛାଡ଼ିଚାଲିଯିବାକୁ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ସୂଚନାନୁସାରେ, ଗୁରୁଜଙ୍ଗ ୧୬ ନମ୍ବର ୱାର୍ଡରେ ସରକାରଙ୍କ ୪୯ ଏକର ଗୋଚର ଜମି ରହିଥିଲା । କିଛି ଜମି ମାଫିଆ ବେଆଇନ ଭାବେ ସେହି ଜମି ଦଖଲ କରିଥିଲେ । ଗତ ୨-୩ ବର୍ଷ ମଧ୍ୟରେ ସେଠାରେ ଗୁଣ୍ଠ ୫୦ ହଜାରୁ ୧ ଲକ୍ଷଟଙ୍କା ଲେଖାଏଁ ସେମାନେ ଅନ୍ୟ ଲୋକଙ୍କୁ ବିନା କାଗଜପତ୍ରରେ ବିକ୍ରି କରିଥିଲେ । ଏହାପରେ ସେଠାରେ ଗତ କିଛି ମାସ ପୂର୍ବେ ସ୍ଥାୟୀ ନିର୍ମାଣ ଆରମ୍ଭ ହୋଇଥିଲା । ବର୍ତମାନ ସେଠାରେ ୩୦-୪୦ ପକ୍କା ଘର ନିର୍ମାଣ କରାଯାଇ ଲୋକ ରହିବା ଆରମ୍ଭ କରିଛନ୍ତି । ଏନେଇ ଗୁରୁଜଙ୍ଗ ଗ୍ରାମ୍ୟ କମିଟି ପକ୍ଷରୁ ଜିଲ୍ଲାପାଳ, ତହସିଲଦାର ଓ ପୌର ପରିଷଦକୁ ଲିଖିତ ଅଭିଯୋଗ କରାଯାଇଥିଲା । ଆଜି ତହସିଲଦାରଙ୍କ ନେତୃତ୍ୱରେ ପ୍ରଶାସନର କର୍ମଚାରୀମାନେ ସେଠାରେ ପହଞ୍ଚି କିଛି ନିର୍ମାଣାଧୀନ ଘରକୁ ଭାଙ୍ଗିବା ସହ ବଳକା ବାସଗୃହଗୁଡ଼ିକରେ ତୁରନ୍ତ ଘର ଖାଲି କରିବାକୁ ବିଜ୍ଞପ୍ତି କାନ୍ଥରେ ମାରିଛନ୍ତି ।
ଏନେଇ ତହସିଲଦାର ପଦ୍ମଚରଣ ସାହୁଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ସେ ସମସ୍ତ ଜାଗା ସରକାରଙ୍କ ଅଧୀନରେ ରହିଛି । ସେଠାରେ ଜବରଦଖଲ ଅଭିଯୋଗ ହେବା ପରେ ୧୦-୧୫ ଦିନ ପୂର୍ବେ ଘଟଣାସ୍ଥଳକୁ ଯାଇ ମାପଚୁପ କରି ବେଆଇନ ଦଖଲ ହୋଇଥିବା ସ୍ପଷ୍ଟ ହୋଇଥିଲା । ଆଜି ସେଠାରେ ପହଂଚି ୪ଟି ନିର୍ମାଣାଧୀନ ଘରକୁ ଭଙ୍ଗାଯାଇଥିଲା । ତେବେ ସେଘରଗୁଡ଼ିକ କିଏ ନିର୍ମାଣ କରୁଛି ସେନେଇ ଜଣାପଡ଼ିନାହିଁ । ତେବେ ଘରଗୁଡ଼ିକ ଖାଲି କରିବାକୁ ନୋଟିସ୍ ମରାଯାଇଛି । ଯଦି ନିର୍ଦ୍ଧାରିତ ସମୟରେ ଘର ଖାଲିନକରନ୍ତି ତେବେ ସେଗୁଡ଼ିକୁ ଆଇନାନୁସାରେ ଭଙ୍ଗାଯିବ ।