ଭୁବନେଶ୍ବର: ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’  ସାରା ବିଶ୍ବର ଲୋକଙ୍କୁ ଯୋଡ଼ି ପାରିଛି। ବିଭିନ୍ନ ବିଷୟ ଉପରେ ଲୋକେ ନିଜର ମତାମତ ରଖିବା ସହ ସୁଖଦୁଃଖ, ଘଟଣାବଳୀକୁ ଅନ୍ୟ ସହ ବାଣ୍ଟି ପାରୁଛନ୍ତି। କିନ୍ତୁ କିଛି ଲୋକ ଏହାର ଦୁର୍ବ୍ୟବହାର କରୁଥିବାରୁ ସମାଜରେ ଅଶ୍ଳୀଳତା, ଘୃଣା, ହିଂସା, ଦଙ୍ଗା, ଭ୍ରମ ସୃଷ୍ଟି ହେଉଛି; ଲୋକେ ଠକାମିର ଶିକାର ହେଉଛନ୍ତି। ଏପରିକି କିଛି ନିରୀହ ଜୀବନ ମଧ୍ୟ ଅକାଳରେ ଝଡ଼ି ପଡ଼ୁଛି। ତେଣୁ କମ୍ପ୍ୟୁଟର୍‌ ପରଦା ଉଢ଼ୁଆଳରେ ରହି ଏପରି କାଣ୍ଡ ଘଟାଉଥିବା ଦୁର୍ବୃତ୍ତଙ୍କ ଉପରେ ଅଙ୍କୁଶ ଲଗାଯିବା ନିହାତି ଜରୁରୀ। ଏଥିପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବା ସହ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଉତ୍କଳ ସାମ୍ବାଦିକ ଭବନଠାରେ ଆୟୋଜିତ ‘ଫେସ୍‌ବୁକ୍‌ ଆଇକନ୍‌ ଆୱାର୍ଡ-୨୦୧୮’ ଉତ୍ସବରେ ଯୋଗ ଦେଇଥିବା

Advertisment

ଅତିଥିମାନେ  ଏପରି ମତବ୍ୟକ୍ତ କରିଛନ୍ତି। ‘ଦିଶା’ର ନିର୍ଦେଶକ ନାରାୟଣ ଚନ୍ଦ୍ର ଓଝାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମୁଖ୍ୟ ଅତିଥି, ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟବକ୍ତା ଓ ବିଧାୟକ ସମିର୍‌ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ। ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମାଜସେବୀ ଲୋରା ମହାପାତ୍ର, ମନସ୍ମିତା ଜେନା, ସସ୍ମିତା ଦାସ ଓ ମୀରା ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ଦେବାଶିଷ ରାଉତ ଧନ୍ୟବାଦ ଦେଇଥିଲେ।