ନାଚୁଣୀ : ନାଚୁଣୀ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ନାଚୁଣୀ ଓ ମୋରାମୋରୀ ପଞ୍ଚାୟତର ଚାଷୀ ସମୂହ ଆଜି ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ସକାଳୁ ଆନ୍ଦୋଳନରତ ଚାଷୀମାନେ ଏକଜୁଟ ହୋଇ ପ୍ରଥମେ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ କଉଡିଖଣି ଛକରେ ମେଳ ହୋଇ ରାସ୍ତା ରୋକ ପାଇଁ ସଜବାଜ ହେଉଥିଲେ।
ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ଚନ୍ଦ୍ର ବେହେରାଙ୍କ ସମେତ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ, ବାଣପୁର ଥାନାଧିକାରୀ ରଶ୍ମୀରଂଜନ ସାହୁ ପ୍ରମୂଖ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବିଭାଗୀୟ ସ୍ତରରେ ଆଲୋଚନା ନିମନ୍ତେ ନାଚୁଣୀ ସେବା ସମବାୟ ସମିତ ପରିସରକୁ ଅଣାଇଥିଲେ। ଏଥିରେ ସ୍ଥାନୀୟ ଚାଷୀ କମିଟି ସଭାପତି ବିକ୍ରମ କେଶରୀ ଦାଶ ଓ ସଂପାଦକ ଶରତ କୁମାର ମହାରଣା, ବରିଷ୍ଠ ସଭ୍ୟ ସୁକାନ୍ତ କୁମାର ମହାପାତ୍ରଙ୍କ ସହ ବ୍ରଜ କିଶୋର ମହାରଣା, ପଞ୍ଚାନନ ମହାରଣା, ଭବାନୀ ଶଂକର ଦାସ,ନୀଳକଣ୍ଠ ସେଠୀ, ରୀନା ଧୋକଡି, ଯୋଗିନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ଚାଷୀ ସାମିଲ ହୋଇଥିଲେ। ନାଚୁଣୀ ସେବା ସମବାୟ ସମିତି ସଂପାଦିକା ବିଷ୍ଣୁପ୍ରିୟା ହରିଚନ୍ଦନ, ବାଣପୁର ଏମଆଇ ଶିବରାମ ବିଶ୍ବାଳ, ଖୋର୍ଦ୍ଧା ଏସସିଓ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।ଗତ ୨୪ ଜାନୁଆରୀରେ ସ୍ଥିରୀକୃତ ଧାନମଣ୍ଡିର ଅବ୍ୟବସ୍ଥା ଓ ସ୍ଥଗିତ ହୋଇଥିବାବେଳେ ଏହାଚଳିତ ମାସ ଫେବୃୟାରୀ ୨୫ ତାରିଖରେ ମଣ୍ଡିରେ ଧାନ ଦେବାକୁ ଟୋକନ ପ୍ରାପ୍ତ ଚାଷୀ ମାନଙ୍କୁ ମୋବାଇଲ ସୂଚନା ରହିଥିଲା। ତେବେ ଆବଶ୍ୟକ ଟାରଗେଟ ନଥିବା ଦର୍ଶାଇ ଧାନ ନେବାକୁ ଥିବା ଚଣ୍ଡେଶ୍ବରର ଜଗନ୍ନାଥ ରାଇସ ମିଲ ଅମଙ୍ଗ ହେଉଥିବାରୁ ଆସନ୍ତାକାଲି ଧାର୍ଯ୍ୟ ୨୫ ତାରିଖ ଧାନ ମଣ୍ଡି ଅନିଶ୍ଚିତ ରହିଥିବା ଅଭିଯୋଗ ଉଠିଥିଲା। ଏଥି ସହ ମଣ୍ଡିରେ ଧାନ ଦେବାକୁ ଚାତକ ଭଳି ଅନାଇ ରହିଥିବା ସ୍ଥାନୀୟ ଚାଷୀଙ୍କ ମୋବାଇଲକୁ ଆସନ୍ତା ୨୬ ତାରିଖ ସୁଦ୍ଧା ମଣ୍ଡିରେ ଧାନ ଦେଇନପାରିଲେ ସଂପୃକ୍ତ ଟୋକନ ପ୍ରାପ୍ତ ଚାଷୀମାନେ ଅଯୋଗ୍ୟ ପ୍ରମାଣିତ ହେବେ ବୋଲି ସରକାରୀ ସୂଚନା ଆସିଥିବାରୁ ଚାଷୀ ମହଲରେ ଏହାର ପୂନର୍ବିଚାର ପାଇଁ ଦାବି ଉଠିଥିଲା। ଏଥିସହ ନାଚୁଣୀରେ ଧାନ ମଣ୍ଡି ସଂପାଦନରେ ଅନୀୟମିତତା ଓ ମିଲରକୁ ଧାର୍ଯ୍ୟ ୧୩ ହଜାର କ୍ବିଣ୍ଟାଲ ଧାନ ଦେବାକୁ ରହିଥିବା ବେଳେ ଅଦ୍ୟାବଧି ନାଚୁଣୀ ମଣ୍ଡିରେ ମାତ୍ର ୫ ହଜାର କ୍ବିଣ୍ଟାଲ ଉଠିଥିବା ଅଭିଯୋଗ ହେଉଛି ।
ଚାଷୀଙ୍କ ଠାରୁ ବକେୟା ୮ ହଜାର କ୍ବିଣ୍ଟାଲ ଧାନ ନେବାକୁ ଆଜିର ଆନ୍ଦୋଳନକାରୀ ଚାଷୀମାନେ ଅଡି ବସିଥିଲେ। ଦାବି ପୂରଣ ପାଇଁ ଧାରଣାରତ ଚାଷୀ ମାନେ ବିଭାଗୀୟ ଉଚ୍ଚ ଅଧିକାରୀ ଉପସ୍ଥିତ ରହି ଲିଖିତ ପ୍ରତିଶୃତି ଦେଲେ ଆନ୍ଦୋଳନକାରୀ ଚାଷୀମାନେ ନାଚୁଣୀ ସେବା ସମବାୟ ସମିତି ଆଗରେ ଧାରଣାରେ ବସିଥିଲେ। ଚାଷୀ କମିଟି ପକ୍ଷରୁ ସଭାପତି ବିକ୍ରମ କେଶରୀ ଦାଶ, ସଂପାଦକ ଶରତ କୁମାର ମହାରଣା, ସୁକାନ୍ତ ମହାପାତ୍ର, ପଞ୍ଚାନନ ମହାରଣା, ନୀଳକଣ୍ଠ ସେଠୀ, ତ୍ରିନାଥ ମୁଦୁଲି,ଭବାନୀ ଶଂକର ଦାସ,ବ୍ରଜ କିଶୋର ମହାରଣା,ଯୋଗିନ୍ଦ୍ର ପ୍ରଧାନ,ମହିଳା ଚାଷୀ ସବିତା ପାଇକରାୟ, ରୀନା ଧୋକଡି,ଙ୍କ ପୋଲିସ ଉପସ୍ଥିତିରେ ନାଚୁଣୀ ସେବା ସମବାୟ ସମିତି ସଂପାଦିକା ବିଷ୍ଣୁପ୍ରିୟା ହରିଚନ୍ଦନ, ବାଣପୁର ଏମଆଇ ଶିବରାମ ବିଶ୍ବାଳ,ତଥା ଖୋର୍ଦ୍ଧାଏସସିଓ ସମସ୍ୟା ସମାଧାନ ପାଇଁ ଆଲୋଚନା କରିଥିଲେ। ଶାନ୍ତି ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ନାଚୁଣୀ ସେବା ସମବାୟ ସମିତି ପରିସରରେ ୨ ପ୍ଲାଟୁନ ପୋଲିସ ବଳ ମୁତୟନ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣକୁ ଆଣି ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଶେଷରେ ବିଭାଗୀୟ ଅଧିକାରୀମାନେ ନାଚୁଣୀ ସେବା ସମବାୟ ସମିତି ମାଧ୍ୟମରେ ଘଟଣାର ପୂନର୍ବିଚାର ପାଇଁ ପହଞ୍ଚିଥିଲେ। ଆଗାମୀଦିନରେ ସରକାରୀ ପଂଜିକୃତ ତଥା ଟୋକନ ପ୍ରାପ୍ତ ଚାଷୀମାନେ ସେମାନଙ୍କୁ ସୂଚନା ମୂତାବକ ପରବର୍ତ୍ତୀ ସୂଚୀତ ତାରିଖରେ ଧାର୍ଯ୍ୟ ପରିମାଣର ଧାନ ନାଚୁଣୀ ମଣ୍ଡିରେ ଦେବାପାଇଁ ନିଷ୍ପତ୍ତି ଘୋଷଣା ହୋଇଥିଲା। ଏହାପରେ ଆନ୍ଦୋଳନରତ ଚାଷୀ ସମୂହ ସ୍ବାଗତ କରି ଧାରଣାରୁ ଉଠିଥିଲେ।