ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବ

ଖୋର୍ଧା : ଜଟଣୀସ୍ଥିତ ସେଞ୍ଚୁରିଆନ୍‌ ବୈଷୟିକ ଓ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବ ଆଜି ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ଡ. ଏସ୍‌ସି ଜମିର୍‌ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଭିକ୍ଟୋରିଆ ସରକାର (ଅଷ୍ଟ୍ରେଲିଆ)ର ପୂର୍ବତନ ମନ୍ତ୍ରୀ ଷ୍ଟିଭେନ୍‌ ହାରବର୍ଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ସେମାନଙ୍କ ଇପସିତ ଉଦ୍ଦେଶ୍ୟ ଫଳବତୀ ହେବା ଉପରେ ଦୃଷ୍ଟି ନିବଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ। ଯୋଜନାବଦ୍ଧ ଭାବେ କାର୍ଯ୍ୟ କଲେ, ସେମାନେ ସଫଳତା ପାଇପାରିବେ ବୋଲି ସେ କହିଥିଲେ। ଚାଲର୍ସ ଡାରଓ୍ଵିନ୍‌ ବିଶ୍ୱବିଦ୍ୟାଳୟ (ଅଷ୍ଟ୍ରେଲିଆ)ର ନିର୍ଦ୍ଦେଶକ ରୁଥ୍‌ ୱାଲେସ୍‌ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚାଲର୍ସ ଡାରଓ୍ଵିନ ବିଶ୍ୱବିଦ୍ୟାଳୟ ଓ ସେଞ୍ଚୁରିଆନ୍‌ ବୈଷୟିକ ଓ ପରିଚାଳନା ବିଶ୍ୱବିଦ୍ୟାଳୟ ମଧ୍ୟରେ ସହଯୋଗ ରହିପାରିଲେ, ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଅଧିକ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ।

ରାଜ୍ୟପାଳ ତାଙ୍କ ଭାଷଣରେ ସେଞ୍ଜୁରିଆନ୍‌ ବିଶ୍ୱବିଦ୍ୟାଳୟ କୌଶଳ ବିକଶିତ ଉଚ୍ଚଶିକ୍ଷା ପ୍ରଦାନ କରିବାରେ ଅଗ୍ରଦୂତ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ। ଏହି ଅବସରରେ ନୂତନ ସ୍ନାତକଧାରୀମାନଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ। ଏହି ସମାବର୍ତ୍ତନ ଉତ୍ସବରେ ୧ହଜାର ୫୯୫ଜଣ ସ୍ନାତକଙ୍କୁ ଉପାଧି ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଭାଗର ୧୭ଜଣଙ୍କୁ ସେମାନଙ୍କର ଉଚ୍ଚକୋଟୀର ଓ କୃତିତ୍ଵପୂର୍ଣ୍ଣ କାର୍ଯ୍ୟ ପାଇଁ ସ୍ୱର୍ଣ୍ଣପଦକ ଓ ୨୫ଜଣ ମେଧାବୀ ଛାତ୍ରଙ୍କୁ ପିଏଚଡି ଉପାଧି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର