ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକଘରେ ଦୁଇ କର୍ମଚାରୀଙ୍କ ମଧ୍ୟରେ ମାରପିଟ, ଜଣେ ଆହତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକଘରେ ଦୁଇଜଣ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଅଧସ୍ତନ କର୍ମଚାରୀ ଆହତ ହୋଇଛନ୍ତି । ଏନେଇ ଉକ୍ତ କର୍ମଚାରୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ଖୋର୍ଦ୍ଧା ଟାଉନ୍ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଚନ୍ଦନ ବେହେରା (୪୩) ଜିଲ୍ଲା ମୁଖ୍ୟ ଡାକଘରେ ଠିକା କର୍ମଚାରୀ ଭାବେ ଭାବେ କାମ କରନ୍ତି । ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ଡାକଘରର ଜଣେ ଡାକବାଲା (ପୋଷ୍ଟମ୍ୟାନ୍) ସୁରେଶ ଚନ୍ଦ୍ର ସାହୁଙ୍କ ସହ ଚନ୍ଦନଙ୍କ କାର୍ଯ୍ୟାଳୟର କୌଣସି କାମକୁ ନେଇ ଉଚ୍ଚବାଚ ହୋଇଥିଲା । ଏଥିରେ ହଠାତ୍ ଉତକ୍ଷିପ୍ତ ହୋଇ ସୁରେଶ ଚନ୍ଦ୍ର ଡାକ ଷ୍ଟାମ୍ପ ମାରିବା ମୋହରରେ ଚନ୍ଦନଙ୍କୁ ଅଘାତ କରିଥିଲେ । ଫଳରେ ଚନ୍ଦନଙ୍କ ମୁଣ୍ଡ ଫାଟିଯାଇଥିଲା । ପରେ ଡାକଘରର ଅନ୍ୟ କର୍ମଚାରୀ ଉଭୟଙ୍କୁ ଗଣ୍ଡଗୋଳରୁ କ୍ଷାନ୍ତ କରିଥିଲେ ।
ଥାନା ସହ ଯୋଗାଯୋଗ କରିବାରେ ଜଣାଯାଇଛି ଯେ ଏହି ମାମଲାରେ ଏକ ଲିଖିତ ଅଭିଯୋଗ ହସ୍ତଗତ ହୋଇଛି । ଏନେଇ ଆଇନ ଅନୁସାରେ ଏତଲା ରୁଜୁ ହେବ । ଅପରପକ୍ଷରେ ଡାକ କାର୍ଯ୍ୟାଳୟର କର୍ତୃପକ୍ଷଙ୍କ ପକ୍ଷରୁ ଜଣାଯାଇଛି ଯେ ଘଟଣାରେ ସମ୍ପୃକ୍ତ ଡାକବାଲାଙ୍କୁ ତାଗିଦ୍ କରାଯାଇଛି । ଆବଶ୍ୟକ ପଡ଼ିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସମ୍ବନ୍ଧିତ ଖବର