ଲକ୍‌ଡାଉନ-୨: ନିୟମ ଭାଙ୍ଗି ଫାଇନ୍ ଗଣିଲେ, ମାସ୍କ ପାଇଲେ

ଖୋର୍ଦ୍ଧା : କୋଭିଡ୧୯ ମହାମାରୀ ମୁକାବିଲାର ଲକ୍ଡାଉନ୍ ଦ୍ୱିତୀୟ ପର୍ଯ୍ୟାୟରେ ବିନାକାରଣରେ ଗାଡ଼ି ନେଇ ବାହାରେ ବୁଲିବା ଓ ମାସ୍କ ନପିନ୍ଧି ଫାଇନ ଗଣିଥିବା ନିୟମଭଙ୍ଗକାରୀଙ୍କୁ କିଛି ପରିମାଣରେ ସାନ୍ତ୍ୱନା ମିଳିଛି । ଖୋର୍ଦ୍ଧା ପୁଲିସ ପକ୍ଷରୁ ଲୋକଙ୍କୁ ମାସ୍କ, ଥଣ୍ଡାପାନୀୟ ଓ ବିସ୍କୁଟ୍ ପ୍ୟାକେଟ୍ ବଂଟନ କରାଯାଇଛି ।

ଗତ ଦୁଇଦିନ ଧରି ଜିଲ୍ଲା ପ୍ରଶାସନ ଓ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ଅଯଥା ଦୁଇ ଚକିଆ, ଚାରି ଚକିଆ ଗାଡ଼ି ନେଇ ବୁଲିବା ଓ ବାହାରକୁ ବାହାରିବା ବେଳେ ମାସ୍କ ବ୍ୟବହାର କରିବା ପାଇଁ ମାଇକ୍ ଯୋଗେ ଅନୁରୋଧ କରାଯାଇଥିଲା । ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ମହାମାରୀ ରୋଗ ଆଇନ ୧୮୯୭ ଏବଂ ଓଡ଼ିଶା କୋଭିଡ ୧୯ ରେଗୁଲେସନ ଆଇନ ୨୦୨୦ ଅନୁସାରେ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହାସତ୍ୱେ ଆଜି ଅନେକ ଗାଡ଼ିଧରି ବାହାରେ ଚଳପ୍ରଚଳ କରୁଥିବା ଓ ମୁହଁରେ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଥିଲା । ଖୋର୍ଦ୍ଧା ପୌର ପରିଷଦ ଏନ୍‌ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଉପଜିଲ୍ଲାପାଳ ଶାନ୍ତନୁ ମହାନ୍ତିଙ୍କ ଉପସ୍ଥିତିରେ ଚଢ଼ଉ କରାଯାଇ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୩୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।

ଅପରପକ୍ଷରେ ଖୋର୍ଦ୍ଧା ପୁଲିସ୍ ପକ୍ଷରୁ ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଟ୍ରକ୍ ଚାଳକ, ଯିବାଆସିବା କରୁଥିବା ଲୋକଙ୍କୁ ମାସ୍କ, ଥଣ୍ଡାପାନୀୟ ଓ ବିସ୍କୁଟ୍ ବଂଟନ କରାଯାଇଥିଲା ।

ସମ୍ବନ୍ଧିତ ଖବର