ବ୍ୟାଙ୍କ ଡକାୟତି ମାମଲାରେ ଜାମିନରେ ଆସି ଶ୍ୱଶୁରଙ୍କ ଘର ଉପରକୁ ଗୁଳି ମାଡ଼ କଲେ ଜ୍ୱାଇଁ

ଖୋର୍ଦ୍ଧା : ପାରିବାରିକ କଳହକୁ କେନ୍ଦ୍ର କରି ଏକ ବ୍ୟାଙ୍କ ଡକାୟତି ମାମଲାରେ ଅଭିଯୁକ୍ତ ଥିବା ଜଣେ ବ୍ୟକ୍ତି ନିଜ ଶ୍ୱଶୁର ଘର ଉପରକୁ ଗୁଳି ଚଳାଇ ଫେରାର୍ ହୋଇଯାଇଛନ୍ତି । ଏହି ଘଟଣାରେ ପୁଲିସ ତନାଘନା ଆରମ୍ଭ କରିଛି ଓ ୩ ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାଯାଇଛି ।

ସୂଚନାନୁସାରେ, ରାମ ଦାସ (୩୮) ୨୦୧୧ ହଳଦିଆ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ମାମଲାରେ ଗିରଫ ହୋଇଥିଲେ । ସେ ବର୍ତମାନ ଜାମିନରେ ଆସିଥିଲେ । ଆସିବା ପରେ କୌଣସି କାରଣକୁ ନେଇ ତାଙ୍କର ପତ୍ନୀଙ୍କ ସହ ବିବାଦ ହୋଇଥିଲା । ଫଳରେ ତାଙ୍କ ପତ୍ନୀ ତାଙ୍କ ବାପା ଘରକୁ ଚାଲିଆସିଥିଲେ । ଏହାପରେ ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ରାମ ଦାସ ଗୁରୁଜଙ୍ଗ ଦେୱାନ୍ ସାହିରେ ଥିବା ତାଙ୍କ ଶ୍ୱଶୁର ହରି ବେହେରାଙ୍କ ଘରକୁ ଆସି ପାଟିତୁଣ୍ଡ କରିବା ସହ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିକାଣ୍ଡରେ କେହି ଆହତ ହୋଇନଥିବା ବେଳେ ଗୋଟିଏ ଗୁଳି ଛାତ ନିକଟସ୍ଥ କାନ୍ଥକୁ ବାଜି ଥିବା ବେଳେ ଅନ୍ୟଟି ଝରକା କବାଟ ଭେଦି ଘର ଭିତରେ ଥିବା କାନ୍ଥକୁ ବାଜିଥିଲା । ଗୁଳି ଚଳାଇବା ପରେ ରାମ ଦାସ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲା ।

ଏହି ଘଟଣାକୁ ନେଇ ରାମ ଦାସଙ୍କ ଶ୍ୱଶୁର ରାତି ସାଢ଼େ ୭ଟାରେ ଥାନାରେ ଆସି ଲିଖିତ ଅଭିଯୋଗ କରିଥିଲେ । ଏନେଇ ଥାନା ଅଧିକାରୀ ଉମାଶଙ୍କର ସିଂହ କହିଛନ୍ତି ଯେ ହରି ବେହେରାଙ୍କ ଅଭିଯୋଗ ଅନୁସାରେ, ୫୬/୨୦୨୦ରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ରାମ ଦାସ ପୂର୍ବରୁ ଏକ ଡକାୟତି ମାମଲାରେ ଗିରଫ ହୋଇଥିଲା । କିଛି ଦିନ ପୂର୍ବେ ସେ ଜାମିନରେ ଆସିଥିଲେ । ଏଣୁ ତାକୁ ଧରିବାରେ ବିଳମ୍ବ ହେବ ନାହିଁ ଖୁବ୍ ଶୀଘ୍ର ଅଭିଯୁକ୍ତ ଧରାଯିବ ।

ସମ୍ବନ୍ଧିତ ଖବର