ଯୁବକଙ୍କୁ ହତ୍ୟା କରି ରାଜପଥ କଡ଼ରେ ଫିଙ୍ଗି ଦେବା ମାମଲା : ୪ ଅଭିଯୁକ୍ତ ଗିରଫ

ଖୋର୍ଧା : ଅଣ୍ଡା ଗ୍ରାମର ଯୁବକ ଅସରଫ ଅଲ୍ଲୀ ଓରଫ ଆଶାଙ୍କୁ ହତ୍ୟା ଅଭିଯୋଗରେ ସଦର ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ହରିପୁର ଗ୍ରାମର ଲାଲା ମହମ୍ମଦ (୨୫), ଅମିର ମହମ୍ମଦ (୨୧), ପାପା ଓରଫ ଅମଜାଦ୍‌ ଖାନ (୨୬) ଏବଂ ବ୍ରଜମୋହନପୁର ପଞ୍ଚାୟତ ଅନ୍ତର୍ଗତ ଶରଧାପୁରର ଦୁର୍ଯ୍ୟୋଧନ ମାର୍ଥା (୩୦)। ପୂର୍ବ ଶତ୍ରୁତାରୁ ଏମାନେ ଅସରଫ୍‌ଙ୍କୁ ହତ୍ୟା କରି ଗତ ଅଗଷ୍ଟ ୨୧ତାରିଖରେ ୧୬ ନମ୍ବର ଜାତୀୟ ରାଜପଥର କୁରାଢ଼ମଲ୍ଲ ଛକ ନିକଟରେ ଫିଙ୍ଗି ଦେଇଥିଲେ। ଏନେଇ ପୁଲିସ ନମ୍ବର ୧୬୬/୧୭ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୧ତାରିଖ ରାତିରେ ସଦର ଥାନା ପୁଲିସ ୧୬ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ବେଳେ କୁରାଢ଼ମଲ୍ଲ ଛକ ନିକଟରୁ ଅସରଫଙ୍କ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅସରଫଙ୍କ ମୃତ୍ୟୁ ବିଷ ଓ ଶ୍ୱାସରୁଦ୍ଧ ଯୋଗୁଁ ହୋଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟ ଆସିବା ଓ ମୃତକଙ୍କ ବାପା ସେକ୍‌ ମୁସ୍ତାକ ଅଲ୍ଲୀଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଗତ ୨୬ ସେପ୍ଟେମ୍ବରରେ ଏକ ହତ୍ୟା ମାମଲା ରୁଜୁ କରିଥିଲା।

ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ଅସରଫଙ୍କ ହତ୍ୟା ପଛରେ ଅଣ୍ଡା ହରିପୁର ଗ୍ରାମର ଲାଲା ମହମ୍ମଦ, ଅମିର ମହମ୍ମଦ, ପାପା ଓରଫ ଅମଜାଦ୍‌ ଖାନ ଓ ଶରଧାପୁରର ଦୁର୍ଯ୍ୟୋଧନ ମାର୍ଥା (୩୦) ସାମିଲ ଥିବା ପୁଲିସ ଜାଣିବାକୁ ପାଇଥିଲା। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖୋର୍ଧା ଏସ୍‌ପି ଦୀପ୍ତିରଂଜନ ରାୟ ଏହି ସୂଚନା ଦେଇଛନ୍ତି। ସେହିପରି ଶବ ନିକଟରୁ ଉଦ୍ଧାର ହୋଇଥିବା ବାଇକ୍‌ଟି ଦୁର୍ଯ୍ୟୋଧନଙ୍କ ଓ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଗାମୁଛାକୁ ପୁଲିସ ଜବତ କରିଛି ବୋଲି ଶ୍ରୀ ରାୟ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ହରିହର ପାଣି, ଟାଉନ୍‌ ଥାନା ଅଧିକାରୀ ରଞ୍ଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର