ଖୋର୍ଦ୍ଧାରେ “ଛ’ମାଣ ଆଠଗୁଣ୍ଠ”ର ପୁନାରାବୃତ୍ତି 

ଡାଲି-ଚାଉଳ ଧାର ଦେଇ ଘରବାଡ଼ି ହଡ଼ପ

ଖୋର୍ଦ୍ଧା: ରାଜ୍ୟରେ ପ୍ରାଶାସନିକ ସ୍ୱଚ୍ଛତା ପାଇଁ ୫-ଟି, ସରକାରଙ୍କ ଘନଘନ ଦୁର୍ନୀତି ବିରୋଧରେ ଅଭିଯାନ, ଗରିବ ଆଦିବାସୀ- ପଛୁଆବର୍ଗଙ୍କ ସୁରକ୍ଷା ପାଇଁ ଥୋକାଏ ନିୟମ, ମାଳମାଳ ସରକାରୀ ଅଫିସର-ପୁଲିସ ତଥାପି ଓଡ଼ିଶାର ବ୍ୟାସକବି ଫକୀରମୋହନ ସେନାପତିଙ୍କ “ଛ’ମାଣ ଆଠଗୁଣ୍ଠ” କାହାଣୀ ଘଟୁଛି । ଭଗିଆ-ସାରିଆ ଭଳି ନିରୀହ ଲୋକଙ୍କ ସମ୍ପତ୍ତି ହଡ଼ପ ହେଉଛି ବୋଲି ଜାଣିଲେ ଆଶ୍ଚର୍ଯ୍ୟ ଲାଗେ । କିନ୍ତୁ ଏଭଳି ଘଟଣା ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ଘଟିଛି । ଏହା ଯେତିକି ଆଶ୍ଚର୍ଯ୍ୟନୁହେଁ କ୍ରମାଗତ ବିଭିନ୍ନ ସରକାରୀ ଅଧିକାରୀ, ଥାନା ପିଣ୍ଡାରେ ଅଧିଆ ପଡ଼ିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବା ଜିଲ୍ଲାରେ ପ୍ରାଶାସନିକ ନୈତିକତାର ସ୍ଖଳନ ସ୍ପଷ୍ଟ ବାରି ହୋଇପଡ଼ୁଛି ।

ଖୋର୍ଦ୍ଧା ଉପକଣ୍ଠ ତରତୁଆ ଗାଁର ପୁରୁଣା ସଅର ସାହିର ଅଲେଖ ନାୟକ (୫୪) । ନିହାତି ଗରିବ ଆଦିବାସୀ ସମ୍ପ୍ରଦାୟର ଓ ଅନକ୍ଷର । କାହାଘରେ କାମ କରି ନିଜର ପରିବାର ଚଳାନ୍ତି । ପ୍ରାୟ ୧୦ ବର୍ଷ ପୂର୍ବେ ସେ ରହୁଥିବା ସରକାରୀ ଜାଗାରେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇ ଏକ ଇନ୍ଦିରାଆବସ ପ୍ରଦାନ କରାଯାଇଛି ।

ଯେଉଁ ଇନ୍ଦିରାଆବାସ ନିର୍ମାଣ କରାଯାଇଛି ତାହା ମଧ୍ୟ ଅସଂପୂର୍ଣ୍ଣ । ତଥାପି କୌଣସି ମତେ ସେଠାରେ ମୁଣ୍ଡଗୁଂଜି ରହନ୍ତି ଅଲେଖ ଓ ତାଙ୍କ ସ୍ତ୍ରୀ ଓ ଝିଅ । ୨୦୧୯ରେ ତାଙ୍କ ଘର ପାଖରେ ସ୍ୱଚ୍ଛଭାରତ-ଗ୍ରାମୀଣ ପକ୍ଷରୁ ଏକ ପାଇଖାନା ମଧ୍ୟ ନିର୍ମାଣ ହୋଇଥିଲା । ଘର ପାଖରେ ତାଙ୍କର କେଉଁ କାଳରୁ ପୂଜା ହୋଇଆସୁଥିବା ଏକ ଛୋଟ ଠାକୁରାଣୀ ମନ୍ଦିର ଥିଲା ।

ଅଲେଖଙ୍କ କହିବାନୁସାରେ, ଗାଁର ଜଣେ ଡାଲି-ଚାଉଳ ବ୍ୟବସାୟୀ ଅବୁବକର ଖାଁ । ତାଙ୍କ ଘରେ ସମୟ ସମୟରେ କାମ କରନ୍ତି । ଆବଶ୍ୟକ ପଡ଼ିଲେ ଧାରଉଧାର ମଧ୍ୟ କରନ୍ତି । ଗତ କିଛି ମାସ ପୂର୍ବେ ଅବୁବକର ଅଲେଖଙ୍କ ଘର ପାଖରେ ଜମି କିଣିଲେ । ସେହି ଜମି ସହ ଆଖାପାଖର ପ୍ରାୟ ୨ ଏକର ସରକାରୀ ଜମିକୁ ମଧ୍ୟ ହଡ଼ପ କରି ପାଚେରୀ ନିର୍ମାଣ କଲେ । ତେବେ ଏହି ପାଚେରୀ ନିର୍ମାଣରେ ଅଲେଖଙ୍କ ଘର, ମନ୍ଦିର ବାଧା ସୃଷ୍ଟି କଲା । ଲୋଭ ଦେଖାଇ ଧାର ଆଦାୟର ଭୟ ଦେଖାଇ ପାଇଖାନା ଓ ମନ୍ଦିରଟିକୁ ଭାଙ୍ଗି ଦେଇ ନିଜ ଜାଗାରେ ମିଶାଇ ଦେଲେ । ବର୍ତମାନ ତାଙ୍କର ଜୀବନର ଏକମାତ୍ର ଭରସା ଇନ୍ଦିରାଆବାସ ଘର ଉପରେ ପଡ଼ିଛି ।

ଗତ ଡିସେମ୍ବର ମାସର ଭୟଭୀତ କରି ତାଙ୍କୁ ସେହି ଘରୁ ଉଠିଯିବାକୁ କହିଛନ୍ତି । ଏନେଇ ଅଲେଖ ସ୍ଥାନୀୟ ଜଣେ ଲୋକଙ୍କ ସହାୟତାରେ ତହସିଲଦାର, ଖୋର୍ଦ୍ଧା ଟାଉନ୍ ଥାନା, ଉପଜିଲ୍ଲାପାଳ ଏପରିକି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତଥାପି କୌଣସି ପଦକ୍ଷେପ ନେବାତ ଦୂରର କଥା ଗତ ୭ ଦିନ ମଧ୍ୟରେ ଅଲେଖଙ୍କ ଘରକୁ ଯିବା ରାସ୍ତାରେ ପାଚେରୀ ନିର୍ମାଣ କରିଦେଇଛି । ଅଲେଖଙ୍କ କହିବା କଥା ହେଲା ସବୁ ସରକାରୀ ଅଫିସରକୁ ସେ ଅବୁବକର କିଣି ଦେଇଛି ।

ଜିଲ୍ଲାପାଳଙ୍କୁ ପୁଣି ସାକ୍ଷାତ କରି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ତାଙ୍କ ଅଭିଯୋଗକୁ ମାର୍କ କରି ତହସିଲଦାରଙ୍କ ନିକଟକୁ ପଠାଇ ଦେଇଛନ୍ତି । ତହସିଲଦାର ଅଭିଯୋଗ ସମ୍ପର୍କରେ କୌଣସି ନଶୁଣି, ନବୁଝି ତାକୁ ଅନୁସନ୍ଧାନ ପାଇଁ ଆରଆଇଙ୍କୁ ନିର୍ଦେଶ ଦେଇଛନ୍ତି । କେବଳ ଅଲେଖ ନୁହନ୍ତି ସହର ସାହିର ଗଣେଶ୍ୱର ନାୟକ, ପୁପ ନାୟକ, ବିଚିତ୍ର ମାଝି ଭଳି ଅନ୍ୟ ବାସିନ୍ଦାଙ୍କ କହିବା କଥା ହେଲା ଅବୁବକର କେବଳ ଆଜି ନୁହେଁ ସାହିର ଅନେକ ସହର ଲୋକଙ୍କୁ ଧାରକରଜ ଦେଇ ସେମାନଙ୍କ ଜମି ଓ ଘର ହଡ଼ପ କରିଛି ।

ଏନେଇ ତହସିଲଦାର ପଦ୍ମଚରଣ ସାହୁଙ୍କ ପଚାରିବାରେ ଏଭଳି କୌଣସି ଅଭିଯୋଗ ସମ୍ପର୍କରେ ସେ ଜାଣିନାହାନ୍ତି ବୋଲି କହିଛନ୍ତି । ତେବେ ସେ ଅଲେଖର ଅଭିଯୋଗରେ ମେମୋ ନଂ ୪୩୮/୨୫ ଜାନୁଆରୀ, ୨୦୨୧ରେ ଆରଆଇଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିବା ସୂଚନା ଦେବା ପରେ କହିଛନ୍ତି । ଅନେକ ଅଭିଯୋଗ ଆସୁଛି ସେ ଏହାକୁ ଦେଖିନାହାନ୍ତି । ତେବେ ଆରଆଇ ରିପୋର୍ଟ ପରେ ଯାହାକିଛି ପଦକ୍ଷେପ ନିଆଯିବ ।

ସମ୍ବନ୍ଧିତ ଖବର