୫ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନାହିଁ ହାଇମାଷ୍ଟ ଲାଇଟ, ବିଜେପି ନେତାଙ୍କ ଅନଶନ ଧମକ

ଧଉଳି : ଭୁବନେଶ୍ବର –ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଲିଙ୍ଗିପୁର ବାଇବାସ ଟ୍ରାଫିକ ପୋଷ୍ଟ ଓ ଧଉଳି ଛକ ନିକଟରେ ହାଇମାଷ୍ଟ ଲାଇଟ ଲାଗିବାର ଏହାମଧ୍ୟରେ ୫ ବର୍ଷ ବିତିଗଲାଣି । ଦୁଇଟିଯାକ ଲାଇଟ ପୋଷ୍ଟ ନିର୍ମାଣ ହେବାର ଦୀର୍ଘଦିନ ପରେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ ।

ଏନେଇ ବିଜେପି ରାଜ୍ୟମୋର୍ଚ୍ଚା ପ୍ରମୁଖ ସଦସ୍ୟ ରବି ମହାରଣା ରାଜ୍ୟରାଜପଥ ପ୍ରାଧିକରଣ କର୍ତୃପକ୍ଷଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଭୁବନେଶ୍ବର ଜୟଦେବ ବିହାର ସ୍ଥିତ ପାଲହାଇଟ ସ୍ଥିତ ପ୍ରାଧିକରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାଇଛନ୍ତି । ତୁରନ୍ତ ଉକ୍ତ ରାଜପଥ ଷ୍ଟ୍ରିଟ ଲାଇଟ ଓ ହାଇମାଷ୍ଟ କାର୍ଯ୍ୟକ୍ଷମ କରାନଗଲେ ଅନଶନ କରିବେ ବୋଲି ଚେତାବନୀ ଦେଇଚନ୍ତି । ଆସନ୍ତ ୭ ଦିନ ମଧ୍ୟରେ ହାଇମାଷ୍ଟ ଲାଇଟ ଦ୍ବୟ କାର୍ଯ୍ୟକ୍ଷମ ନହେଲେ ସେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି । ଶ୍ରୀ ମହାରଣା ଦଳୀୟ ପ୍ୟାଡ଼ରେ ଉଲ୍ଲେଖ କରିଛନ୍ତି ଯେ , ଦାୟିତ୍ବରେ ଥିବା ଠିକାଦାର ରସୁଲଗଡ଼ ରାସ୍ତା ଠାରୁ ବାଇପାସ ଦେଇ ପୁରୀ ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ ଓ ମୁଖ୍ୟ ଛକ ମାନଙ୍କରେ ହାଇମାଷ୍ଟ ଲଗାଇବା ପାଇଁ କାମ ନେଇଥିଲା । ହେଲେ କାମ ଅଧାପନ୍ତରିଆ କରି ଟଙ୍କା ହଡ଼କ କରିଥବା କହିଛନ୍ତି । ଅନ୍ୟପକ୍ଷରେ ସେ ଅଭିଯୋଗପତ୍ରରେ ଆହାରି ଦର୍ଶାଇଛନ୍ତି ଯେ , ଜାତୀୟ ରାଜପଥ ସଂଲଗ୍ନ ଅଞ୍ଚଳ ଅନ୍ଧାର ହେବା ଫଳରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଅନ୍ଧାରର ସୁଯୋଗ ନେଇ ଲୁଟତରାଜ , ରାହାଜାନୀ , ଛିନତାଇ ଓ ଡକାୟତି ଭଳି ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଛୋଟବଡ଼ ଦୁର୍ଘଟଣା ଘଟିବା ଫଳରେ ଲୋକ ମୃତାହତ ହେଉଛନ୍ତି । ଏଭଳି ସ୍ଥିତିରେ ହାଇମାଷ୍ଟ କାର୍ଯ୍ୟକ୍ଷମ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ସର୍ବ ସାଧାରଣଙ୍କ ହିତ ଦୃଷ୍ଟିରୁ କର୍ତୃପକ୍ଷ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନେଇ ଦାବି ହେଉଛି ।

ସମ୍ବନ୍ଧିତ ଖବର