୧୮୦୪ ପାଇକ ବିଦ୍ରୋହ ପ୍ରଥମ ସ୍ୱାଧୀନତା ସଂଗ୍ରାମ: ଗଜପତି

ରାଜ୍ୟସ୍ତରୀୟ ସହିଦ ଜୟୀ ରାଜଗୁରୁଙ୍କ ବଳିଦାନ ଦିବସ

ଖୋର୍ଧା : ଉତ୍କଳର ସଂସ୍କୃତି ଓ ଇତିହାସ ଅତି ମହାନ। ବିଶ୍ୱବ୍ରହ୍ମାଣ୍ଡର ମାଲିକ ସ୍ୱୟଂ ଜଗନ୍ନାଥଙ୍କ ଘର ଉତ୍କଳରେ ହୋଇଥିବାରୁ ଏହାର ଇତିହାସ ଅତି ଗୌରବମୟ। ଏହି ଉତ୍କଳ ମାଟିରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ୧୮୦୪ ମସିହାରେ ସଂଘଟିତ ହୋଇଥିଲା। ଜୟୀ ରାଜଗୁରୁଙ୍କ ନେତୃତ୍ଵରେ ବିଟ୍ରିସ୍‌ ସରକାର ବିରୋଧରେ ୧୮୦୪ ମସିହାରେ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା। ଜୟୀ ରାଜଗୁରୁ ଏହି ଆନ୍ଦୋଳନର ପ୍ରଥମ ସହିଦ। ମାତ୍ର ଇତିହାସରେ ଏ ପର୍ଯ୍ୟନ୍ତ ଏହାକୁ ମାନ୍ୟତା ଦିଆଯାଇ ପାରିନାହିଁ। ଜୟୀ ରାଜଗୁରୁ ସ୍ମୃତି ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗୀତା ଭବନ ପଡ଼ିଆଠାରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସହିଦ ଜୟୀ ରାଜଗୁରୁଙ୍କ ବଳିଦାନ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ ଗଜପତି ମହାରାଜ ଦିବ୍ୟସିଂହଦେବ ଏହା କହିଛନ୍ତି।

ସେ ଆହୁରି କହିଲେ, ଜୟୀ ରାଜଗୁରୁଙ୍କ ପରେ ବକ୍ସି ଜଗବନ୍ଧୁ ଏହି ବିଦ୍ରୋହର ନେତୃତ୍ଵ ନେଇଥିଲେ। ୧୮୧୭ ମସିହାରେ ଏହା ଚରମ ପର୍ଯ୍ୟାୟରେ ପହଞ୍ଚିଥିଲା। ତେବେ ପାଇକ ସଂଗ୍ରାମର ଉପଯୁକ୍ତ ତଥ୍ୟ ଉପସ୍ଥାପିତ ହୋଇନାହିଁ। ମୋଗଲ ଶାସନ ଓ ବ୍ରିଟିସ ସରକାର ସମୟରେ ଲିଖିତ ଇତିହାସରେ ଏହାକୁ ଗୁରୁତ୍ଵ ଦିଆଯାଇନାହିଁ। ଏହି ଇତିହାସକୁ ବଦଲାଇବାର ଏବେ ପ୍ରକୃଷ୍ଟ ସମୟ ଆସିଛି। ମୋଗଲ ଶାସନ ଓ ପାଇକ ସଂଗ୍ରାମର ପ୍ରକୃତ ତଥା ଓ ପ୍ରମାଣ ଉପସ୍ଥାପନ କରି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ସବୁସ୍ତରରୁ ଉଦ୍ୟମ ହେବା ଉଚିତ ବୋଲି ଗଜପତି ମହାରାଜ କହିଥିଲେ। ବିଶେଷ କରି ରାଜ୍ୟ ସରକାର ଏ ଦିଗରେ ଅଧିକ ତଥ୍ୟ ଉପସ୍ଥାପନ କରି ୧୮୦୪ ମସିହାରେ ଘଟିଥିବା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ସେ ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପୂଜ୍ୟ ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ ମହାରାଜ ଯୋଗଦେଇ ଜୟୀ ରାଜଗୁରୁଙ୍କ ସଂଗ୍ରାମୀ ଜୀବନୀ ଉପରେ ଆଲୋକପାତ କରିଥିଲେ। ପ୍ରଫେସର ଡ. ନାରାୟଣ ରାଓ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଇତିହାସ ଏ ପର୍ଯ୍ୟନ୍ତ ଜୟୀ ରାଜଗୁରୁଙ୍କ ବଳିଦାନକୁ ଯଥୋଚିତ ସମ୍ମାନ ଦେଇନାହିଁ ବୋଲି କହିଥିଲେ।

ପ୍ରାରମ୍ଭରେ ଜୟୀ ରାଜଗୁରୁ ସ୍ମୃତି ସଂସଦର ସଂଯୋଜକ ଡ. ଧୀରେନ୍ଦ୍ର ନନ୍ଦ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ସଂସଦର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ର ବିବରଣୀ ପାଠ କରିଥିଲେ। ଗଜପତି ମହାରାଜଙ୍କ ରାଜଗୁରୁ ସୁଧାଂଶୁ ଶେଖର ରାଜଗୁରୁ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ମଞ୍ଚକୁ ବାଗ୍ମୀ, ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ। ଏହି ଅବସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଶଙ୍କର ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମ୍ବର୍ଧିତ କରାଯାଇଥିଲା। ସେହିପରି ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ପୂର୍ବାହ୍ନ ଅଧିବେଶନରେ ଅନୁଷ୍ଠିତ ଆଲୋଚନାଚକ୍ରରେ ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ସମେତ ବହୁ ବ୍ୟକ୍ତି ସହିଦ୍‌ ଜୟୀ ରାଜଗୁରୁଙ୍କ ବୀରତ୍ଵ, ଦେଶପ୍ରେମ ଓ ତ୍ୟାଗ ଉପରେ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର