ଜଟଣୀ ଆସନ : କିଏ ପ୍ରାର୍ଥୀ, ତା’ ଉପରେ ଭୋଟରଙ୍କ ନଜର

ପୁରୁଣା ନେତାଙ୍କୁ ନେଇ ଲଢିବାକୁ ଯାଉଛି କଂଗ୍ରେସ, ବିଜେଡି, ବିଜେପିରେ ନୂଆ-ପୁରୁଣା ବଳ କଷାକଷି

ଖୋର୍ଦ୍ଧା, (ଲମ୍ବୋଦର ପ୍ରସାଦ ଦାଶ): ରାଜଧାନୀ ଭୁବନେଶ୍ବର ଉପକଣ୍ଠର ପଡୋଶୀ ନିର୍ବାଚନମଣ୍ଡଳୀ ହେଉଛି ଜଟଣୀ। ସ୍ବାଭାବିକ ଭାବେ ଏହି ନିର୍ବାଚନମଣ୍ଡଳୀ ଉପରେ ରାଜ୍ୟ ରାଜନୀତିର ନଜର ଥାଏ। ଗୁରୁତ୍ବପୂର୍ଣ୍ଣ ଏହି ଆସନରେ ଏଥର ନିର୍ବାଚନ ବେଶ୍ ସରଗରମ ହେବ। ସ୍ଥିତି ଏମିତି ଯେ ବିଜେଡି-ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇପାରେ।

ଜଟଣୀ ନିର୍ବାଚନମଣ୍ଡଳୀରେ ୨୦୦୯ରେ ୬୦.୫୦ ପ୍ରତିଶତ ମତଦାନ ରହିଥିଲା। ସେବେ ବିଜେଡିରୁ ଠିଆ ହୋଇଥିବା ବିଭୂତି ବଳବନ୍ତରାୟ ୫୫୫୭୩ ଖଣ୍ଡ ଭୋଟ ପାଇଥିଲେ ଓ କଂଗ୍ରେସର ସୁରେଶ କୁମାର ରାଉତରାୟଙ୍କୁ ମିଳିଥିଲା ୪୦୬୪୮ ଭୋଟ। ବିଭୂତି ୧୪୯୨୫ ଖଣ୍ଡ ଭୋଟରେ ଜିତିଥିଲେ। ୨୦୧୪ରେ ମତଦାନ ଓ ଭୋଟରଙ୍କ ସଂଖ୍ୟା ବଢ଼ିଥିବା ବେଳେ ବିଜେଡିର ଭାଗୀରଥି ବଡ଼ଜେନା କଂଗ୍ରେସର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଶ୍ରୀ ରାଉତରାୟଙ୍କ ଠାରୁ ମାତ୍ର ୫୭୪୭ ଭୋଟରେ ଜିତିଥିଲେ। ବର୍ତମାନର ବିଧାୟକ ଭାଗିରଥି ବଡ଼ଜେନା ନିଜର ଶାରୀରିକ ଅସୁସ୍ଥତା କାରଣରୁ ଆସନ୍ତା ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି।

ପ୍ରାକ୍ତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ ସ୍ବାଭାବିକ ଭାବେ ଟିକେଟ ଆଶାୟୀ ଅଛନ୍ତି। ତାଙ୍କ ଛଡା ବିଜେଡିରେ ଆହୁରି ଅନେକ ଆଶାୟୀ। ପୂର୍ବତନ ବିଧାୟକ ଶରତ ପାଇକରାୟଙ୍କ ପୁତ୍ର ସୂରଜ ପାଇକରାୟ, ବରିଷ୍ଠ ଓକିଲ ପତିତପାବନ ପଣ୍ଡା, ବିଜେଡିର ଜିଲ୍ଲା ଉପସଭାପତି ପ୍ରମୋଦ ହରିଚନ୍ଦନ, ବିଧାୟକଙ୍କ ଜଟଣୀ ପ୍ରତିନିଧି ବିଜୟ ଛୋଟରାୟ, ସାମ୍ବାଦିକ ଅର୍ଧେନ୍ଦୁ େଶଖର ଦାସଙ୍କ ନାମ ବି ଚର୍ଚ୍ଚାରେ ରହିଛି।

ଜଟଣୀରେ ବିଜେପି ଯଦିଓ ନିଜର ସ୍ଥିତିକୁ କ୍ରମାଗତ ବଢ଼ାଇଛି କିନ୍ତୁ ଏହା ଜିତିବା କିମ୍ବା ଦ୍ୱିତୀୟ ସ୍ଥାନରେ ପହଞ୍ଚିବା ପାଇଁ ନିର୍ଣ୍ଣାୟକ ନୁହେଁ। ୨୦୦୯ରେ ବିଜେପି ପ୍ରାର୍ଥୀ ସୁଦୀପ୍ତ ରାୟ ୭୮୧୨ଖଣ୍ଡ ଭୋଟ ପାଇ ୪ର୍ଥ ସ୍ଥାନରେ ଥିଲେ । ୨୦୧୪ରେ ଏହା ୧୭୦୭୮କୁ ବୃଦ୍ଧି ପାଇଥିଲା ଓ ସେ ତୃତୀୟ ସ୍ଥାନରେ ପହଂଚିଥିଲେ । ବର୍ତମାନ ବିଜେପିରୁ ପୁଣି ସୁଦୀପ୍ତ ରାୟ ଟକଟ ଲବିରେ ଥିବା ବେଳେ ଦଳୀୟ କାର୍ଯ୍ୟକର୍ତା ବିଶ୍ୱରଂଜନ ବଡ଼ଜେନା, ସନ୍ତୋଷ ଜେନା ଅନୁରୂପ ଭାବେ ଟିକଟ ଆଶାୟୀ ଅଛନ୍ତି ।

ଏଭଳି ସ୍ଥିତିରେ ଜଟଣୀରେ ପ୍ରମୁଖ ବିରୋଧୀ କଂଗ୍ରେସ ପକ୍ଷରୁ ସୁରେଶ କୁମାର ରାଉତରାୟଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ଦଳୀୟ ଟିକଟ ଦୌଡ଼ରେ ନାହାନ୍ତି। ଏଣୁ ୨୦୧୯ର ତ୍ରିମୁଖି ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସ ଅନ୍ୟ ଦୁଇ ଦଳ ଠାରୁ ଏକ ପାଦ ଆଗରେ ଥିବା ଅନୁମାନ ହେଉଛି ।

୨୦୧୪ ନିର୍ବାଚନ ଫଳାଫଳ

ଦଳ            ପ୍ରମୁଖ ପ୍ରାର୍ଥୀ                    ଭୋଟ
ବିଜେଡି     ଭାଗିରଥୀ ବଡ଼ଜେନା             ୬୦,୯୭୬
କଂଗ୍ରେସ    ସୁରେଶ ରାଉତରାୟ              ୫୫,୨୨୯
ବିଜେପି     ସୁଦୀପ୍ତ କୁମାର ରାୟ              ୧୭,୦୭୮
ସ୍ବାଧୀନ     ସଂଗ୍ରାମ କେଶରୀ ରାଉତରାୟ    ୫,୫୪୯

ସମ୍ବନ୍ଧିତ ଖବର