ଜଟଣୀ: ଜଟଣୀ ନିର୍ବାଚନମଣ୍ଡଳୀରୁ ବିଜେଡି ବିଭୂତି ବଳବନ୍ତରାୟଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି। ଏବେ ସମସ୍ତଙ୍କ ନଜର ବିଜେପି ଓ କଂଗ୍ରେସ ଉପରେ। ଏଠାରେ କିପରି ବିଜେଡିକୁ ମୁକାବିଲା କରାଯିବ ସେ ନେଇ ଉଭୟ ଦଳ ମଧ୍ୟରେ ଅଙ୍କକଷା ଚାଲିଥିବା ବେଳେ ଟିକେଟ୍କୁ ନେଇ ଆଶାୟୀଙ୍କ ମଧ୍ୟରେ ଟେନସନ୍ ବଢ଼ୁଛି। ନିର୍ବାଚନମଣ୍ଡଳୀରେ ଉଭୟ ଦଳର ପ୍ରାର୍ଥୀ ତାଲିକା ଯେତିକି ବିଳମ୍ବ ହେଉଛି କର୍ମୀଙ୍କ ମଧ୍ୟରେ ଆଶା ଓ ଆଶଙ୍କା ସେତିକି ବଢ଼ିଚାଲିଛି। ଏକଦା ଜଟଣୀ ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ଥିଲାବେଳେ ଏବେ ସ୍ଥାନୀୟ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଘରକଳି ପାଇଁ ଏହି ଗଡ଼ ଦୁର୍ବଳ ହୋଇଯାଇଛି। ଏପରିକି ଜଟଣୀରେ କଂଗ୍ରେସ ମୂଳପୋଛ ହେବା ଭଳି ପରିସ୍ଥିତି ଉପୁଜିଛି। ଦୀର୍ଘ ବର୍ଷ ଧରି ସୁର ରାଉତରାୟ ଜଟଣୀ କଂଗ୍ରେସକୁ ମଜବୁତ କରି ରଖିଥିବା ବେଳେ ଏବେ ତାଙ୍କ ସାନପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶି ସବୁ ଓଲଟପାଲଟ କରିଦେଇଛନ୍ତି। ସୁରଙ୍କ ସମସ୍ତ ସମର୍ଥକଙ୍କୁ ମନ୍ମଥ ନିଜ ଆଡ଼କୁ ନେଇଥିବା ଚର୍ଚ୍ଚା ହେଉଛି। ସେପଟେ ଜଟଣୀ କଂଗ୍ରେସର କର୍ମୀ କଦାପି ସୁର କିମ୍ବା ତାଙ୍କ ସାନପୁଅ ମନ୍ମଥଙ୍କ ସହ ନଥିଲେ ଓ ଆଗକୁ ରହିବେନି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସୁରଙ୍କ ପୁତୁରା ତଥା ଜଟଣୀର ପୂର୍ବତନ ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ। ସେ କହିଛନ୍ତି ଯେ କଂଗ୍ରେସର ସମସ୍ତ କର୍ମୀ ଅଛନ୍ତି ଓ ରହିବେ ମଧ୍ୟ। ଜଟଣୀ କଂଗ୍ରେସର ଦୁର୍ଗ ଥିଲା, ଅଛି ଓ ରହିବ। କିଏ କେଉଁ ଦଳକୁ ପଳାଇଲେ କଂଗ୍ରେସ ଉପରେ କିଛି ପ୍ରଭାବ ପକାଇପାରିବ ନାହିଁ। ଏଥର ନେତୃତ୍ୱ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଯଦି ଜଟଣୀ କଂଗ୍ରେସରୁ ସୁର ମଙ୍ଗ ନ ଧରନ୍ତି, ତା’ହେଲେ ତାଙ୍କ ପୁତୁରା ସଂଗ୍ରାମ ରାଉତରାୟ ମଙ୍ଗ ଧରିବେ ବୋଲି ବହୁ ଚର୍ଚ୍ଚା ହେଉଛି। ସେହିପରି ରସିକ ପଟ୍ଟନାୟକ ଓ ଅଶୋକ ମଙ୍ଗରାଜଙ୍କ ସମେତ ଅନ୍ୟମାନେ କଂଗ୍ରେସକୁ ପୁନଃସଂଗଠିତ ଓ ସୁଦୃଢ଼ କରିବାକୁ ଉଦ୍ୟମ ଚଳାଇଛନ୍ତି।
ଅନ୍ୟପଟେ ବିଜେପିରେ ଏକାଧିକ ଆଶାୟୀ ଅଛନ୍ତି। ସେମାନେ ନିଜକର୍ମୀଙ୍କୁ ଏକାଠି କରୁଛନ୍ତି। କର୍ମୀ ମଧ୍ୟ ନେତାଙ୍କୁ ଫେସବୁକ୍, ହ୍ୱାଟସ୍ଆପ୍, ଏକ୍ସ ଆଦି ସୋସିଆଲ ମିଡିଆରେ ସମର୍ଥନ କରୁଛନ୍ତି। ଜଟଣୀ ପାଇଁ ପ୍ରାର୍ଥୀ ଚୟନ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଦଳ ଏଠାରୁ କାହାକୁ ପ୍ରାର୍ଥୀ କଲେ ଉଭୟ ବିଜେଡି ଓ କଂଗ୍ରେସକୁ ଟକ୍କର ଦେଇପାରିବ, ସେ ବିଷୟରେ ବିଚାର ବିମର୍ଶ ଚାଲିଛି। ଆଶାୟୀ ଭାବେ ସୁଦୀପ୍ତ ରାୟ, ବିଶ୍ୱରଞ୍ଜନ ବଡ଼ଜେନା ଓ ଅର୍ଦ୍ଧେନ୍ଦୁ ଦାସ ରହିଥିବା ବେଳେ ଆସନ୍ତାକାଲି ଦଳରେ ମିଶିବାକୁ ଯାଉଥିବା ସନ୍ତୋଷ ଜେନା ମଧ୍ୟ ଏହି ତାଲିକାରେ ରହିଛନ୍ତି।