ବିଜେପି ଛାଡ଼ିଲେ ଜଟଣୀ ପୌରାଧ୍ୟକ୍ଷ ଓ ୬ କାଉନସିଲର୍‌

ସାମ୍ବାଦିକ ସମ୍ମିଳନୀରେ କହିଲେ, ଧର୍ମେନ୍ଦ୍ର ଓ ଜୁଏଲ ନିରାଶ କଲେ

ଖୋର୍ଧା/ଜଟଣୀ : ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର୍‌ ଦେବା ପାଇଁ ମିଶ୍ରଣ ପର୍ବ ଆୟୋଜନ କରି ବିଭିନ୍ନ ଦଳର ନେତା, ଅଭିନେତାଙ୍କୁ ଦଳରେ ମିଶାଉଛି ବିଜେପି। ହେଲେ ଭୁବନେଶ୍ୱର ଉପକଣ୍ଠ ଜଟଣୀରେ କିନ୍ତୁ ଦଳ ବଢିବା ପରେ ଏବେ ଛିଡ଼ିବା ଆରମ୍ଭ କରିଛି। କିଛି ଦିନ ତଳେ ବିଜେପିରେ ଯୋଗଦେଇଥିବା ନେତାମାନେ ହଠାତ୍‌ ଦଳ ଓ ନେତୃତ୍ୱକୁ ମୁହଁ ମୋଡ଼ି ଦେଇଛନ୍ତି। ଗତ ପୌରପରିଷଦ ନିର୍ବାଚନରେ ଗୋଟିଏ ହେଲେ କାଉନସିଲର୍‌ ସିଟ୍‌ ହାତେଇ ପାରିନଥିବା ବିଜେପି; ସ୍ୱାଧୀନ ପ୍ରାର୍ଥୀ ସଂଗ୍ରାମ କେଶରୀ ରାଉତରାୟଙ୍କ ସମେତ ୭ଜଣ କାଉନସିଲର୍‌ଙ୍କୁ ଦଳରେ ମିଶାଇଥିଲା। କିନ୍ତୁ ଆଜି ସେହି ୭ଜଣ କାଉନ୍‌ସିଲର୍‌ ଦଳରୁ ମୁହଁ ଫେରାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସ୍ଥାନୀୟ ବିଜେପି ନେତାଙ୍କ ଗୋଡ଼ଟଣା ନୀତି ଯୋଗୁଁ ସେମାନେ ଏପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଛନ୍ତି। ଆଜିର ଏହି ଘଟଣା କେବଳ ଜଟଣୀ ନିର୍ବାଚନମଣ୍ଡଳୀ ନୁହେଁ, ରାଜ୍ୟ ବିଜେପିକୁ ଏକ ଶକ୍ତ ଧକ୍କା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ଜଟଣୀଠାରେ ଆଜି ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଲେ, ଜଟଣୀ ପୌରାଞ୍ଚଳର ସାମଗ୍ରିକ ବିକାଶ ଦିଗରେ ବିଜେପିର ନେତୃମଣ୍ଡଳୀ କୌଣସି ପ୍ରକାର ସହାୟତା କଲେ ନାହିଁ। ଜଟଣୀ ପୌରାଞ୍ଚଳର ସୌନ୍ଦର୍ଯ୍ୟକରଣ, ଯାତାୟାତର ଉନ୍ନତି, ଶିକ୍ଷା ଓ ସ୍ୱାସ୍ଥ୍ୟର ସର୍ବାଙ୍ଗୀନ ବିକାଶ ସର୍ବୋପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସବକା ସାଥ ସବକା ବିକାଶ’ ସ୍ଲୋଗାନ୍‌ ପୂରଣ କରିବା ଆଶାରେ ଆମେ ବିଜେପିରେ ଯୋଗ ଦେଇଥିଲୁ।

ଜଟଣୀ ପୌରପରିଷଦ ନିର୍ବାଚନରେ ବିଜେପିର କୌଣସି କାଉନସିଲର୍‌ ନିର୍ବାଚିତ ହୋଇନାହାନ୍ତି। ଏହି ପରିପ୍ରେକ୍ଷୀରେ ବିଜେପିରେ ଆମମାନଙ୍କ ଯୋଗଦାନ ଜଟଣୀ ପୌରାଞ୍ଚଳରେ ଏକ ନୂତନ ଆଶାର ସଞ୍ଚାର କରିଥିଲା। ମାତ୍ର ଏହି ଦଳର କେତେକ ସ୍ଥାନୀୟ ନେତା ଆମକୁ ସାହାଯ୍ୟ କରିବା ପରିବର୍ତ୍ତେ କୁଠାରାଘାତ କଲେ। ନାଇଜର୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଟଣୀ ଆସିଥିଲେ। ସେତେବେଳେ ଜଟଣୀ ପୌରାଞ୍ଚଳର ସାମଗ୍ରିକ ବିକାଶ ପାଇଁ ଏହାକୁ ଅମୃତ ଯୋଜନାରେ ସାମିଲ କରିବା ପାଇଁ ଆମେ ଏକ ଦାବିପତ୍ର ତାଙ୍କୁ ଦେଉଥିଲୁ। ମାତ୍ର ଏ ନେଇ ଜଟଣୀକୁ ଉପେକ୍ଷା କରାଗଲା। ସେହିପରି ଜଟଣୀ ପୌରାଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରତିଶ୍ରୁତି ଦେଇ ମଧ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଆମକୁ ନିରାଶ କଲେ। ଏଭଳି ପରିସ୍ଥିତିରେ ଆମେ ବିଜେପିରେ ଅଣନିଶ୍ୱାସୀ ହୋଇପଡ଼ୁଛୁ। ତେଣୁ ବାଧ୍ୟ ହୋଇ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛୁ ବୋଲି ପୌରାଧ୍ୟକ୍ଷ ଶ୍ରୀ ରାଉତରାୟ କହିଛନ୍ତି। ଏହି ମର୍ମରେ ସେମାନେ ଦଳର ରାଜ୍ୟ ଶାଖା ସଭାପତିଙ୍କ ନିକଟକୁ ସେମାନଙ୍କର ଇସ୍ତଫା ପତ୍ର ପଠାଇଛନ୍ତି ବୋଲି ପୌରାଧ୍ୟକ୍ଷ ଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଅନ୍ୟ ୬ ଜଣ କାଉନସିଲର୍‌, ୧ନମ୍ବର ଓ୍ଵାର୍ଡର ଅନୁପମା ଦେହୁରି, ୮ନମ୍ବର ୱାର୍ଡର ସୌମେନ୍ଦ୍ର ପଟ୍ଟନାୟକ, ୨ ନମ୍ବର ଓ୍ଵାର୍ଡର ଚିନ୍ମୟୀ ସାମନ୍ତରାୟ, ୬ ନମ୍ବର ଓ୍ଵାର୍ଡର ଅନ୍ନପୂର୍ଣ୍ଣା ଦାଶ, ୯ ନମ୍ବର ଓ୍ଵାର୍ଡର ବିରଞ୍ଚି ନାରାୟଣ ସେଠୀ ଓ ୭ ନମ୍ବର ଓ୍ଵାର୍ଡର ରହିମା ବିବି ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବିଜେପିର ଜିଲ୍ଲା ସଭାପତି ସୁବାସ ଜେନାଙ୍କୁ ଯୋଗଯୋଗ କରିବାରୁ ସେ କହିଲେ, ସେମାନଙ୍କ ଦଳର କୌଣସି କାର୍ଯ୍ୟକ୍ରମରେ ସମ୍ପୃକ୍ତି ନଥିଲା। ତେଣୁ ସେମାନଙ୍କର ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ସମ୍ବନ୍ଧିତ ଖବର