ଜଟଣୀ : ଜଟଣୀ ପୌର ପରିଷଦର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ପୌର ପରିଷଦ ଅଧିକାରୀ ଲଳିତା କପୁର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପୌର ପରିଷଦର ଅବସରପ୍ରାପ୍ତ ଅମିନ ଭିକ୍ଷାକାରୀ ସାହୁଙ୍କ ଅବସରପରେ ଗ୍ରାଚୁଇଟି ବାବଦରେ ଟଙ୍କା ପାଇବାର ଥିଲା। ଏ ସମ୍ପର୍କିତ ଫାଇଲ୍ ଉପରିସ୍ଥ କାର୍ଯ୍ୟାଳୟକୁ ପଠାଇବାକୁ ଶ୍ରୀ ସାହୁ ପୌର ପରିଷଦ ଅଧିକାରୀ ଲଳିତା କପୁରଙ୍କୁ ଅନେକ ଥର ଅନୁରୋଧ କରିଥିଲେ। କିନ୍ତୁ ଏଥିପାଇଁ ପୌର ଅଧିକାରୀ ଜଣକ ତାଙ୍କୁ ୧ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଭିକ୍ଷାକାରୀ ଏ ନେଇ ଦୁର୍ନୀତି ନିବାରଣ ବିଭାଗକୁ ଅଭିଯୋଗ କରିଥିଲେ। ଆଜି ପୂର୍ବାହ୍ନରେ ଭିକ୍ଷାକାରୀ ପୌର ଅଧିକାରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଉପସ୍ଥିତ ଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ପୂର୍ବ ଯୋଜନା ମୁତାବକ ଧରିଥିଲେ।
ବିଭାଗୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଲଳିତାଙ୍କ ଭୁବନେଶ୍ବରସ୍ଥ ବାସ ଭବନ ଓ ଅନ୍ୟ ସମ୍ପର୍କୀୟଙ୍କ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି। ଜଟଣୀ ପୌର କାର୍ଯ୍ୟାଳୟଠାରେ ଆଜିର ଚଢ଼ଉରେ ଭୁବନେଶ୍ବର ଦୁର୍ନୀତି ନିବାରଣ କାର୍ଯ୍ୟାଳୟର ଡିଏସ୍ପି ଅକ୍ଷୟ କୁମାର ମିଶ୍ର ନେତୃତ୍ବ ନେଇଥିଲେ।