ଭୁବନେଶ୍ୱର : ବେଆଇନ ଖଣି କାରବାର ମାମଲାରେ ଜଣେ ସରକାରୀ ଅଧିକାରୀ ଧରାପଡ଼ିଛନ୍ତି। ସେ ହେଲେ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ କନିଷ୍ଠ କିରାଣୀ ଜୟଦେବ ସାହୁ। ଶ୍ରୀ ସାହୁ ବର୍ଷ ବର୍ଷ ଧରି ଖଣି ମାଫିଆଙ୍କୁ ସରକାରୀସ୍ତରରେ ସହାୟତା କରି କୋଟି କୋଟି ଟଙ୍କା ଉପାର୍ଜନ କରୁଥିଲେ। ଏହାଛଡ଼ା ଅନେକ ମାଫିଆଙ୍କ ସହ ଯୋଗସୂତ୍ର କରାଇବା ଅଭିଯୋଗରେ ଆଜି ଏସ୍ଟିଏଫ୍ ତାଙ୍କୁ ଗିରଫ କରିଛି। ପୂର୍ବରୁ ସେ ଜଟଣୀରେ ଚାକିରି କରିଥିବା ବେଳେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ। ଗତକାଲି ଖଣି ମାଫିଆ ସେକ୍ ମହମ୍ମଦ ଅଖତର ଗିରଫ ହେବା ପରେ ଏହି ଅଧିକାରୀଙ୍କ ନାମ ପଦାକୁ ଆସିଥିଲା। ଅନେକ ଖଣି ମାଫିଆଙ୍କ ସହ ଶ୍ରୀ ସାହୁ ସମ୍ପର୍କରେ ଥିବା ଏସ୍ଟିଏଫ୍ କହିଛି। ଆବଶ୍ୟକ ପଡ଼ିଲେ ବେଆଇନ କାରବାର ବିଷୟରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍ଟିଏଫ୍ କହିଛି।
ସୂଚନା ମୁତାବକ, ଶ୍ରୀ ସାହୁ ଖଣ୍ଡଗିରି ଜାଗମରାର ୭୪୦ ପ୍ଲଟ ନମ୍ବରରେ ରୁହନ୍ତି। ୨ ମାସ ପୂର୍ବରୁ ସେ ଜିଲ୍ଲା ରାଜସ୍ବ ବିଭାଗରେ ଚାକିରି କରିଥିଲେ। ରାଜସ୍ବ ବିଭାଗରେ ଥିବା ବେଳେ ନକଲି ପରିବେଶ ମଞ୍ଜୁରି ପ୍ରମାଣପତ୍ର ପ୍ରଦାନ କରିବା ସହ ବେଆଇନ ଖଣି କାରବାରକୁ ସୁରୁଖୁରୁରେ ଚଳାଇବାକୁ କେତେକ ବେଆଇନ ଖଣି ଚୋରା ଚାଲାଣକାରୀଙ୍କୁ ସାହାଯ୍ୟ କରୁଥିବା ପ୍ରମାଣ ମିଳିଥିଲା। ଗତକାଲି ପିପିଲିର ସେକ୍ ଅଖତରକୁ ଗିରଫ କରିବା ପରେ ଏହି ଅଧିକାରୀଙ୍କର ସମ୍ପୃକ୍ତି ପ୍ରମାଣିତ ହୋଇଥିଲା। ତାଙ୍କୁ ଏସ୍ଟିଏଫ୍ କାର୍ଯ୍ୟାଳୟକୁ ଡକା ଯାଇ ପଚରାଉଚରା କରାଯାଇଥିଲା। କିନ୍ତୁ ସେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଏସ୍ଟିଏଫ୍ ତାଙ୍କୁ ଗିରଫ କରିଥିଲା। ଅଖତର ସହ ସେ ଦୀର୍ଘ ଦିନ ଧରି ସମ୍ପର୍କରେ ଥିଲେ। ବେଆଇନ ଭାବରେ ଜଗନ୍ନାଥଙ୍କ ଜମିରୁ ଖଣି ଉତ୍ତୋଳନ କରିବା ପାଇଁ ଅଖତରକୁ ଶ୍ରୀ ସାହୁ ପ୍ରବର୍ତ୍ତାଇ ଥିଲେ। ନକଲି ସରକାରୀ କାଗଜପତ୍ର, ପୁଲିସକୁ ଲାଞ୍ଚ, ରାଜସ୍ବ ଅଧିକାରୀଙ୍କ କଥା ବୁଝିବା ପାଇଁ ପ୍ରଥମେ ସେ ୧୦ ଲକ୍ଷ ଓ ପ୍ରତି ମାସରେ ୨ ଲକ୍ଷ ଟଙ୍କା ଲେଖାଏ ଅଖତରଠାରୁ ନେଉଥିଲେ। ଖୋଳତାଡ଼ ବେଳେ ଜଣାପଡ଼ିଥିଲା ଯେ ସେ ଅନେକ ବେଆଇନ ଖଣି ଖନନକାରୀଙ୍କଠାରୁ ମୋଟା ଅଙ୍କର ଚାନ୍ଦା ନେଉଥିଲେ। ଶ୍ରୀ ସାହୁଙ୍କ ବୟାନକୁ ଆଧାର କରି ଏସ୍ଟିଏଫ୍ ଆଉ କେତେକ ସରକାରୀ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/jayadev-sahu.jpg)