ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଶିଳ୍ପାୟନରେ ଖୋର୍ଦ୍ଧା ଜିଲ୍ଲା ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି। ରାଜ୍ୟର ପାରମ୍ପରିକ ଶିଳ୍ପ ଜିଲ୍ଲାଗୁଡ଼ିକୁ ଏହା ପଛରେ ପକାଇ ଦେଇଛି। ଗତ ପାଞ୍ଚ ବର୍ଷରେ ଖୋର୍ଦ୍ଧା ସର୍ବାଧିକ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛି। ଜଗତସିଂହପୁର ଓ ଅନୁଗୁଳକୁ ଏହା ପଛରେ ପକାଇ ଦେଇଛି। ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଗତ ପାଞ୍ଚ ବର୍ଷରେ ଖୋର୍ଦ୍ଧା ୪୨,୬୧୪ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଜିଲ୍ଲାରେ ୨,୧୭,୩୩୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ସମୟରେ ଜଗତସିଂହପୁର ୨୬,୬୩୦ କୋଟି ଟଙ୍କା ଓ ଅନୁଗୁଳ ୨୧,୫୩୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆକୃଷ୍ଟ କରିଛନ୍ତି। ଏ ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟ ରାଜଧାନୀ ଭୁବନେଶ୍ବର ପାଖାପାଖି ଥିବାରୁ ଖୋର୍ଦ୍ଧା ଏକ ଉପଯୁକ୍ତ ସ୍ଥାନରେ ପରିଣତ ହୋଇଛି।
ସେଠାରେ ଉନ୍ନତ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଓ ପ୍ରଶାସନିକ ସହାୟତା ସହଜରେ ମିଳିଯାଉଛି। ସଡ଼କ ପଥ, ରେଳପଥ ଓ ବିମାନବନ୍ଦରର ସଂଯୋଗ ମଧ୍ୟ ଏହାର ପାଖାପାଖି ରହିଛି। ଫଳରେ ଏହି ଅଞ୍ଚଳରେ କାରଖାନା ସ୍ଥାପନ କରୁଥିବା ସଂସ୍ଥାଗୁଡ଼ିକ ସହଜରେ ନିଜ ସାମଗ୍ରୀକୁ ଦେଶର ବିଭିନ୍ନ ସ୍ଥାନକୁ ପଠାଇପାରୁଛନ୍ତି। ଖୋର୍ଦ୍ଧା ରାଜ୍ୟର ଏକ ପ୍ରମୁଖ ଲଜିଷ୍ଟିକ୍ସ ହବ୍ ଭାବେ ଉଭା ହେଉଥିବା ସେ କହିଛନ୍ତି। ଖୋର୍ଦ୍ଧାରେ ସୂଚନା ପ୍ରଯୁକ୍ତି, ଇଲେକ୍ଟ୍ରୋନିକ୍ସ, କୃଷିଭିତ୍ତିକ ଶିଳ୍ପ ସ୍ଥାପନ କରିବା ଲାଗି ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟରେ ଆଗ୍ରହ ରହିଛି। ରାଜ୍ୟ ସରକାର ସେଠାରେ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ (ଏସ୍ଇଜେଡ୍), ଶିଳ୍ପ ପାର୍କ ଓ ଆଇଟି କରିଡର୍ ବିକାଶ କରୁଥିବାରୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ନିବେଶକମାନେ ସେଠାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ଦେଖାଇଛନ୍ତି।
ଚଳିତ ବର୍ଷ ମାର୍ଚ୍ଚରେ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷ ମଞ୍ଜୁର କରିଥିବା କେତେକ ଶିଳ୍ପ ପ୍ରକଳ୍ପ ଖୋର୍ଦ୍ଧାରେ ସ୍ଥାପନ ହେବାକୁ ଯାଉଛି। ଖୋର୍ଦ୍ଧାରେ ୱେରି କ୍ଲିନ୍ ଏନର୍ଜି ସଲ୍ୟୁସନ୍ସ ୪୩୫ କୋଟି ଟଙ୍କା, ଏସ୍ଏସ୍ଆଇଏଲ୍ ପେଣ୍ଟ ଇଣ୍ଡଷ୍ଟ୍ରିଜ୍ ୧୫୦ କୋଟି ଟଙ୍କା, ଓଏଫ୍ବି ଟେକ୍ ୮୫୭ କୋଟି ଟଙ୍କା, ଶାଲିମାର ୱେର୍ସ ଇଣ୍ଡଷ୍ଟ୍ରିଜ୍ ୭୬ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛନ୍ତି। ସେହିପରି ସୋଲିସିସ୍ ସୋଲାର ପକ୍ଷରୁ ଖୋର୍ଦ୍ଧାରେ ୫୯.୫୦ କୋଟି ଟଙ୍କା, ଇଣ୍ଡିଆନ୍ ଷ୍ଟିଚେସ୍ ପକ୍ଷରୁ ୫୦.୫୫ କୋଟି ଟଙ୍କା, ଏସ୍ଜିବିଏଲ୍ ଇନ୍ଫୋସିଷ୍ଟମ୍ସ ପକ୍ଷରୁ ୬୦.୦୬ କୋଟି ଟଙ୍କା, ନନ୍ଦରାଜ ଏଗ୍ରୋଟେକ୍ ପକ୍ଷରୁ ୯୨.୬୦ କୋଟି ଟଙ୍କା ଓ ପଣ୍ଡା ଇଷ୍ଟେଟ୍ସ ପକ୍ଷରୁ ୧୧୨.୮୦ କୋଟି ଟଙ୍କା ନିବେଶ କରାଯିବ।