ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଗ୍ରାମାଂଚଳରେ ଦୈନିକ କରୋନା ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗିଛି । ଯଦି ଏହା ନିୟନ୍ତ୍ରିତ ନହୁଏ ତେବେ ଖୁବ୍ କମ୍ ସମୟ ମଧ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରେ ଗୁଣାତ୍ମକ ବୃଦ୍ଧି ଘଟିବା ଆଶଙ୍କା ରହିଛି ।

Advertisment

ଗତବର୍ଷ ମାର୍ଚ୍ଚ ୨୨ରେ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା । ମଇ ୧୩ ତାରିଖ ଯାଏଁ କୌଣସି ସଂକ୍ରମିତ ନଥିବା ଜିଲ୍ଲାପ୍ରଶାସନ ସୂଚନା ଦେଇଥିଲା । ଗ୍ରାମାଂଚଳରେ ମଇ ୧୪ ତାରିଖରେ ପ୍ରଥମ ଥର ପାଇଁ ଟାଙ୍ଗୀ ଓ ବାଣପୁରରୁ ୩ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ତିନିଜଣ ବାହାର ରାଜ୍ୟରୁ ଫେରିଥିଲେ । କରୋନାର ପ୍ରଥମ ସଂକ୍ରମଣ ଲହରରେ ଜୁନ୍ ୮ ବେଳକୁ ଖୋର୍ଦ୍ଧା ଗ୍ରାମାଂଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୯ ହୋଇଥିଲା । ଜୁନ୍ ଶେଷ ଆଡ଼କୁ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭୦ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଏହା ପୂର୍ବର ସମସ୍ତ ସଂକ୍ରମଣର ରେକର୍ଡ ଭାଙ୍ଗିଛି । ଆଜି ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୧୦୦ ଟପିଛି । ଏହା ସହ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୩୩ ହୋଇଛି ।

ଜିଲ୍ଲା ଆପାତ୍କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ୪୯୯ଟି ରାପିଡ୍ ଆଂଟିଜେନ୍ ଓ ୩୪୧ଟି ଆର୍ଟି-ପିସିଆର୍ ପରୀକ୍ଷଣ କରାଯାଇଥିଲା । ମୋଟ ୮୪୦ଟି ପରୀକ୍ଷଣରୁ ୧୦୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ମୋଟ ପରୀକ୍ଷଣର ୧୩ ପ୍ରତିଶତ ସଂକ୍ରମିତ ହୋଇଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରୁ ସର୍ବାଧିକ ୩୬, ଜଟଣୀ ୧୧, ଚିଲିକା-ବାଲୁଗାଁ ୧୦, ବାଲିପାଟଣା ୯, ବାଲିଅନ୍ତା ୪, ଭୁବନେଶ୍ୱର ବ୍ଲକ ୫, ବେଗୁନିଆରୁ ୮, ଟାଙ୍ଗୀ ୫, ବାଣପୁର ୪, ବୋଲଗଡ଼ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବାହାର ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମରୁ ଆସିଥିବା ୭ଜଣ କରୋନା ପଜିଟିଭ୍ ଥିବା ଜଣାଯାଇଛି ।

ସେହିଭଳି ଖୋର୍ଦ୍ଧା ଉପଖଣ୍ଡ (ଜଟଣୀ, ଭୁବନେଶ୍ୱର ବ୍ଲକ, ବାଲିଅନ୍ତା, ବାଲିପାଟଣା ବ୍ୟତୀତ)ରେ ଆଜି ସୁଦ୍ଧା ୨୬୬ଟି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୪୪ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ୨୨ଟି ସକ୍ରିୟ ସଂକ୍ରମିତ ରହିଥିବା ବେଳେ ୨୧୪ଜଣ ସ୍ୱଗୃହ ଏକାନ୍ତବାସ ଓ ୮ଜଣ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି ବୋଲି ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ ସୂଚନା ଦେଇଛନ୍ତି ।